ଭୁବନେଶ୍ବର : ୮ ଦଫା ଦାବି ନେଇ ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ସକାଳ ପ୍ରାୟ ୧୧ଟା ସମୟରେ ସ˚ଗଠନର ରାଜ୍ୟ ସଭାପତି ଗୋପବନ୍ଧୁ ସିକା ଓ ଯୁବ ସ˚ଗଠନର ରାଜ୍ୟ ସଭାପତି ବିଜୟ ଭୋଇଙ୍କ ନେତୃତ୍ବରେ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଛାତ୍ରଛାତ୍ରୀ, ଯୁବକ, ମହିଳା ରେଳଷ୍ଟେସନ୍ରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଶିକ୍ଷା, ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଏସ୍ସି, ଏସ୍ଟିମାନଙ୍କୁ ସେମାନଙ୍କ ସ˚ଖ୍ୟାନୁପାତରେ ସ˚ରକ୍ଷଣ ଅର୍ଥାତ୍ ୪୦% ପ୍ରଦାନ କରାଯାଉ, ଶିକ୍ଷା, ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ପଛୁଆବର୍ଗ ତଥା ସ˚ଖ୍ୟାଲଘୁବର୍ଗଙ୍କୁ ସେମାନଙ୍କ ସ˚ଖ୍ୟାନୁପାତରେ ସ˚ରକ୍ଷଣ ପ୍ରଦାନ କରାଯାଉ, ଠିକା ନିଯୁକ୍ତି ରେ ଓଆର୍ଭି ଆକ୍ଟକୁ ଦୃଢ଼ ଭାବେ ଲାଗୁ କରାଯାଉ, ସମସ୍ତ ଘରୋଇ କ୍ଷେତ୍ରରେ ସ˚ରକ୍ଷଣ ବ୍ୟବସ୍ଥାକୁ ଲାଗୁ କରାଯାଉ, କପୋଳକଳ୍ପିତ କ୍ୟାଚ୍ ଅପ୍ ରୁଲ୍କୁ ହଟାଇ ସର୍ବୋଚ୍ଚ ନ୍ୟାୟାଳୟ ବିକେ ପବିତ୍ରା-୨ଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଏସ୍ସି/ଏସ୍ଟି ବର୍ଗର କର୍ମଚାରୀଙ୍କୁ ତୁରନ୍ତ ପଦୋନ୍ନତି ପ୍ରଦାନ କରାଯାଉ, ଶିକ୍ଷାରେ ଗୈରୀକରଣକୁ ରୋକାଯାଇ ସମତାଭିତ୍ତିକ ତଥା ବୈଜ୍ଞାନିକ ଚିନ୍ତାଧାରା ଆଧାରିତ ଶିକ୍ଷା ପ୍ରଦାନ କରାଯାଉ, ଶିକ୍ଷାର ଘରୋଇକରଣ ତଥା ବ୍ୟବସାୟୀକରଣ ଉପରେ ପ୍ରତିବନ୍ଧକ ଲଗାଯାଉ, ଉଚ୍ଚଶିକ୍ଷା କ୍ଷେତ୍ରରେ ଏସ୍ସି,ଏସ୍ଟି, ଓବିସି ପିଲାମାନଙ୍କ କ୍ଷେତ୍ରରେ କୋର୍ସ ଫି କମ୍ କରାଯିବା ସହିତ ଏମାନଙ୍କୁ ମିଳୁଥିବା ଷ୍ଟାଇପେନ୍ରେ ୫୦ ପ୍ରତିଶତ ବୃଦ୍ଧି କରିବାକୁ ସାମୁଖ୍ୟ ଦୃଢ଼ ଦାବି କରିଛି। ଏନେଇ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ଲୋକସେବା ଭବନକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସାମ୍ମୁଖ୍ୟ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp