ବଡ଼ଦିନରେ ବାଡ଼ିଆପି‌ଟା: ଛାତ୍ରଙ୍କୁ ଛୁରି ଭୁସିଲେ ଛାତ୍ର

ମୁଖ୍ୟ ଅଭିଯୁକ୍ତ ‌ଫେରାର

ନୟାଗଡ଼: ନୟାଗଡ଼ କଲେଜ ଛାତ୍ରସଂସଦ ନିର୍ବାଚନର ପୁରୁଣା କଳିକୁ ନେଇ ଆଜି ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ବଡ଼ଦିନରେ କଲେଜ ଛୁଟି ଥିଲେ ମଧ୍ୟ ଗୋଟିଏ ଗୋଷ୍ଠୀର ‌ଜଣେ ଛାତ୍ରଙ୍କୁ ଅପର ଗୋଷ୍ଠୀର ଛାତ୍ର ବାଡ଼େଇବା ସହିତ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି। ହତ୍ୟା ଉଦ୍ୟମ, ମାରଣାସ୍ତ୍ରରେ ଆଘାତ ଭଳି ଦଫାରେ ଟାଉନ୍‌ ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନଥିବା ବେଳେ ତାର ସହଯୋଗୀକୁ ଟାଉନ ଥାନା ପୁଲିସ ଅଟକ ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢେ ନଅଟା ସମୟରେ ନୟାଗଡ଼ କଲେଜ ଯୁକ୍ତ ତିନି ବାଣିଜ୍ୟ ବିଭାଗର ଛାତ୍ର ଦେବରାଜ ଖୁଣ୍ଟିଆ ନୟାଗଡ଼ କଲେଜଠାରୁ କିଛି ଦୂର ବାରମାସୀ ଦଣ୍ଡା ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ସେହି ବାଟ ଦେଇ ଯୁକ୍ତ ତିନି କଳା ବିଭାଗର ଛାତ୍ର ସୁଶୀଲ କୁମାର ସାହୁ ଓରଫ ପପୁ ଯାଉଥିଲେ। ପୂର୍ବରୁ ଛାତ୍ରସଂସଦ ନିର୍ବାଚନ ନେଇ ପପୁ ଓ ଦେବରାଜଙ୍କ ମଧ୍ୟରେ ବିବାଦ ଥିଲା। ଦେବରାଜ, ପପୁଙ୍କ ନାମ ଧରି ଡାକିବାରୁ ପପୁ ଏଥିରେ ଉତ୍ତେଜିତ ହୋ‌ଇ ପଡ଼ିଥିଲେ। ମୁଁ କ’ଣ ତୋ ସାଙ୍ଗ ବୋଲି କହି ଦେବରାଜକୁ ଧକ୍କା‌ ମାରି ସେଠାରୁ ତ୍ରିନାଥ ଛକସ୍ଥିତ ନିଜ ଘର ଆଡ଼କୁ ଚାଲି ଆସିଥିଲେ। ଏହା ପରେ ଦେବରାଜ ମାଡ଼ ଖାଇଥିବା ନେଇ ସ୍ଥାନୀୟ ଲେଙ୍କୁଡ଼ିପଡାର ନିଜ ସାଙ୍ଗ ପ୍ରକା‌ଶ କୁମାର ବେହେରା (ଯୁକ୍ତ ତିନି ବାଣିଜ୍ୟ ଛାତ୍ର) ଓ ଅନ୍ୟ କେତେଜଣଙ୍କୁ ଫୋନ୍ ଜରିଆରେ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଦେବରାଜଙ୍କ ସାଙ୍ଗ ପ୍ରକାଶ ଓ ଅନ୍ୟମାନେ ପହଞ୍ଚିଥିଲେ। ପ୍ରଥମେ ସେମାନେ ଦେବରାଜଙ୍କୁ ନେଇ ନୟାଗଡ଼ ଦେବୋତ୍ତର କଲୋନିସ୍ଥିତ ତାଙ୍କ ଭଉଣୀ ଘରେ ଛାଡ଼ିଥି‌ଲେ ଏବଂ କେହି ଜଣେ ଏ ନେଇ ନୟାଗଡ଼ ଟାଉନ ଥାନାକୁ ଜଣାଇଥିଲେ। ହେଲେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରକାଶ ଓ ଅନ୍ୟ ଛାତ୍ରମାନେ ତ୍ରିନାଥ ଛକସ୍ଥିତ ପପୁ ଘର ନିକଟକୁ ଯାଇ ଆଜିର ବିବାଦ ସମ୍ପର୍କରେ ପପୁକୁ ପଚାରିଥି‌ଲେ। ଏଥିନେଇ ପୁନର୍ବାର ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପାଖରେ ଉପସ୍ଥିତ ପପୁର ସହଯୋଗୀ କାସିମ ମଲ୍ଲିକ (ଯୁକ୍ତ ତିନି ଦ୍ବିତୀୟ ବର୍ଷ) ପପୁ ହାତକୁ ଏକ ଛୁରୀ ବଢାଇ ଦେଇଥିଲା। ପପୁ ସେଇ ଛୁରୀରେ ପ୍ରକାଶକୁ ଆକ୍ରମଣ କରିଥିଲା। ଏଥି‌ରେ ପ୍ରକାଶର ପେଟରେ ଗୁରୁତର ଆଘାତ ଲାଗିଛି। ପ୍ରଥମେ ପ୍ରକାଶକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରବର୍ତ୍ତୀ ସମୟରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର