ଭୁବନେଶ୍ବର: ପିଏଚ୍ଡି କରିବାକୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିଲେ। ଭଲ ମଧ୍ୟ ପଢ଼ୁଥିଲେ। ସେଠି କିନ୍ତୁ ଜନୈକ ପ୍ରଫେସରଙ୍କ ନିର୍ଯାତନା ତାଙ୍କୁ ସାମ୍ନା କରିବାକୁ ହେଲା। ପାଠ ଅଧାରେ ରହିଯିବାର ଆଶଙ୍କାରେ ସେ ସବୁ ସହିଲେ। ଏମିତି ଚାଲିଲା ୫ ବର୍ଷ। ହେଲେ ୫ବର୍ଷ ପରେ ଠିକଣା ସମୟରେ ଉକ୍ତ ପ୍ରଫେସରଙ୍କ ସହଯୋଗ ନ ମିଳିବାରୁ ପିଏଚ୍ଡି ଶେଷ କରିପାରିଲେ ନାହିଁ। ଆହୁରି ସମୟ ନେଲେ। ପ୍ରତିଷ୍ଠାନରେ ରହିବା ସହ ଗବେଷଣା ଜାରି ରଖିଲେ। ଆହୁରି ନିର୍ଯାତନା ବି ସହିଲେ। ତା’ସତ୍ତ୍ବେ କିଛି ଫଳ ମିଳିଲାନି। ପିଏଚ୍ଡି ଶେଷ ହେଲାନି। ତେଣୁ ବାଧ୍ୟ ହୋଇ ଏକାଥରେ ୨୫ଟି ନିଦ ବଟିକା ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଛନ୍ତି, ଏବେ ମୃତ୍ୟୁ ସହ ସ୍ଥାନୀୟ ଏକ ହସ୍ପିଟାଲରେ ସଂଗ୍ରାମ କରୁଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ବେଳେ ଘଟଣା ଚାପିବାକୁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି।
ବିଶେଷସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀ ଜଣକ ବିହାରର ଆରଙ୍ଗ ଅଞ୍ଚଳର। ଆଖିରେ ଆଖିଏ ସ୍ବପ୍ନ ନେଇ ୨୦୧୭-୨୦୧୮ ଶିକ୍ଷାବର୍ଷରେ ପିଏଚ୍ଡି କରିବାକୁ ଭୁବନେଶ୍ବରର ଉକ୍ତ କେନ୍ଦ୍ରୀୟ ପ୍ରତିଷ୍ଠାନରେ ନାମ ଲେଖାଇଥିଲେ। ଗାଇଡ୍ ମିଳିଥିବାରୁ ୫ ବର୍ଷ ମଧ୍ୟରେ ପିଏଚ୍ଡି ଶେଷ କରିଦେବେ ବୋଲି ଆଶା ରଖିଥିଲେ। ଗାଇଡ୍ ରହିଥିବା ପ୍ରଫେସରଙ୍କ ସହଯୋଗ ନ ମିଳିବାରୁ ଧାର୍ଯ୍ୟ ସମୟରେ ପିଏଚ୍ଡି ଶେଷ କରିପାରିଲେ ନାହିଁ। ତାଙ୍କ ପାଖରେ ପିଏଚ୍ଡିର ସମସ୍ତ ରିସର୍ଚ୍ଚ ପେପର୍ ରହିଥିଲା। ମାତ୍ର ପ୍ରଫେସର ତାଙ୍କୁ ମାନସିକ ନିର୍ଯାତନା ଦେଇ ଚାଲିଥିଲେ। ସେ ଅନୁଷ୍ଠାନର ଉଚ୍ଚକର୍ତ୍ତୃପକ୍ଷଙ୍କୁ ଭେଟି ଏସବୁ ଅବଗତ କରାଇଥିଲେ। ମାତ୍ର କେହି ବି ସହଯୋଗର ହାତ ବଢ଼ାଇ ନ ଥିଲେ। ବରଂ ନିର୍ଯାତନା ଦେଇ ଚାଲିଥିଲେ। ଚାରିଆଡ଼ୁ ନିରାଶ ହେବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ସହପାଠୀମାନେ ଅଭିଯୋଗ କରିଛନ୍ତି।
ଛାତ୍ରୀ ଜଣକ ଚିକିତ୍ସିତ ହେଉଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗତକାଲି ଚିକିତ୍ସା ହେବାକୁ ଆସିବା ସମୟରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ମାତ୍ର ଡାକ୍ତରମାନଙ୍କ ଉଦ୍ୟମ ଫଳରେ ସ୍ବାସ୍ଥ୍ୟବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ମାତ୍ର ସମ୍ପୂର୍ଣ୍ଣ ବିପଦ ମୁକ୍ତ ହୋଇପାରି ନାହାନ୍ତି। ସମ୍ପୃକ୍ତ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ଏହା ପ୍ରଥମ ଘଟଣା ନୁହେଁ। କିଛି ବର୍ଷ ପୂର୍ବରୁ ଉତ୍ତର ପୂର୍ବ ରାଜ୍ୟର ଜଣେ ଛାତ୍ରୀ ଏଠାରେ ପ୍ରଫେସରଙ୍କ ନିର୍ଯାତନା ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥିଲେ। ସେତେବେଳେ ଘଟଣା ସମ୍ପର୍କରେ ସେତେଟା ତନାଘନା ହୋଇ ନ ଥିଲା। ଯେଉଁଥିପାଇଁ ଏବେ ପୁଣିଥରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରତିଷ୍ଠାନର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଶିକ୍ଷାନୁଷ୍ଠାନରେ ଏବେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଛାତ୍ରଛାତ୍ରୀ ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଏବେ ହଷ୍ଟେଲର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନ ହୋଇଥିବାରୁ କ୍ୟାମ୍ପସ ଭିତରେ କ’ଣ ଚାଲିଛି ତାହାର ଖବର କେହି ରଖୁନାହାନ୍ତି କି? ଆତ୍ମହତ୍ୟା ଉଦ୍ୟମ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ଓ ମେଡିକାଲ କର୍ତ୍ତୃପକ୍ଷ କାହିଁକି ଘଟଣାକୁ ଚାପିବାକୁ ଉଦ୍ୟମ କରୁଛନ୍ତି? ପୁଲିସକୁ କାହିଁକି ସୂଚନା ଦିଆ ଯାଇନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି।