ଭୁବନେଶ୍ୱର : ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ। ତା’ପରେ ବି ରାଜ୍ୟର ଛାମୁଆ ଛାତ୍ର ସଙ୍ଗଠନ ବିଜୁ ଛାତ୍ର ଜନତା ଦଳକୁ ସୁଦୃଢ଼ କରିବା ଲାଗି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି। ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଛାତ୍ର ସଙ୍ଗଠନର ସଭାପତି ଭାବେ ମନୋନୀତ କରାଯିବା ସହ ଉପ ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ ପରି ରାଜ୍ୟସ୍ତରୀୟ ପଦପଦବି ଲାଗି ଛାତ୍ରନେତା ଚୟନ ଶେଷ ହୋଇଛି। ଏବେ ଜିଲ୍ଲା ଓ ବ୍ଲକସ୍ତରରେ ଛାତ୍ର ସଙ୍ଗଠନକୁ ସୁଦୃଢ଼ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
ଇତି ମଧ୍ୟରେ ୭ଟି ଜିଲ୍ଲାର ଛାତ୍ରନେତାଙ୍କ ନାମ ଘୋଷଣା ସରିଛି। ଜିଲ୍ଲାର ଉପ ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ସୋସିଆଲ୍ ମିଡିଆ ସଂଯୋଜକ ଦାୟିତ୍ବ ଛାତ୍ର ନେତାମାନଙ୍କୁ ଦିଆଯାଇଛି। ଏହାବାଦ୍ ବ୍ଲକ ଓ ମ୍ୟୁନିସପାଲିଟି ସଭାପତି ବି ଚୟନ ହେଉଛନ୍ତି। ସମ୍ବଲପୁର, ନବରଙ୍ଗପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ ଜିଲ୍ଲାର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା ସରିଛି। ନୂତନ ଜିଲ୍ଲା କମିଟିରେ ଜିଲ୍ଲା ସଭାପତିଙ୍କ ସମେତ ୧୦ ଜଣ ଲେଖାଏଁ ଜିଲ୍ଲା ଉପସଭାପତି ଓ ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ ଓ କେତେଜଣ ଛାତ୍ରନେତାଙ୍କୁ ସୋସିଆଲ୍ ମିଡିଆ ସଂଯୋଜକ ଦାୟିତ୍ବ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ବାକି ୨୩ଟି ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ ହେବାକୁ ଯାଉଛି। ଆଜି ସୁଦ୍ଧା ଅଧିକାଂଶ ଜିଲ୍ଲାର କର୍ମକର୍ତ୍ତା ଚୟନ ଶେଷ ହୋଇଛି। ଯଦି ସବୁ କିଛି ଠିକ୍ ଠାକ୍ ଚାଲେ ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସମସ୍ତ ଜିଲ୍ଲାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି। ଜିଲ୍ଲା ଓ ବ୍ଲକସ୍ତରରେ କିଛି ନୂଆ ଚେହେରାଙ୍କୁ ବି ଏଥର ସାମିଲ କରାଯାଉଛି। ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ସଙ୍ଗଠନକୁ ସୁଦୃଢ଼ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି। ନୂତନ କମିଟି ଦ୍ବାରା ଛାତ୍ର ସମାଜର ରାଜନୈତିକ କ୍ରିୟାଶୀଳତା ବଢ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/bjd-fa.jpg)