ବ୍ରହ୍ମପୁର, (ଜ୍ଞାନଚାନ୍ଦ୍ ଜଗନ୍ନାଥ): କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ସାମାଜିକ ଦୂରତ୍ବ ରକ୍ଷା ସହ ନିଜ ହାତକୁ ସାନିଟାଇଜର୍ ଅଥବା ସାବୁନ୍‌ରେ ସଫା କରିବା ନିତାନ୍ତ ଆବଶ୍ୟକ। ଏଥିପାଇଁ ବିଭିନ୍ନ ‌କ୍ଷେତ୍ରରେ ସଚେତନତାକୁ ବ୍ୟାପକ କରାଯାଇଥିବା ସହ ଲୋକ ନାନା ଉପାୟ ମଧ୍ୟ ଆପଣାଉଛନ୍ତି। ହେଲେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଭାଟକୁମରୁଡ଼ା ନିକଟ କନ୍ଦାଳପଲ୍ଲୀ ଗ୍ରାମର ମୂଳବାସିନ୍ଦା ବିଟେକ୍ ଛାତ୍ର ବଳରାମ ସାହୁଙ୍କ ‘ମଲ୍‌ଟି ଫଙ୍କସନାଲ୍ ରୋବଟ୍‌’ ତଥା ‘ସାନିଟାଇଜର୍ ରୋବଟ୍‌’ ଏବେ ଚର୍ଚ୍ଚାରେ। ଲକ୍‌ଡାଉନ୍ ସମୟର ସୁବିନିଯୋଗ କରି ପୂର୍ବରୁ ବଳରାମ ସ୍ବୟଂଚାଳିତ ହ୍ୟାଣ୍ଡ୍‌ ସାନିଟାଇଜର୍ ଡିଭାଇସ୍ ନିର୍ମାଣ କରିଥିଲେ। ଏବେ ନିଜ ଜ୍ଞାନକୌଶଳ ଓ ଅଭିଜ୍ଞତାକୁ କାମରେ ଲଗାଇ ନିଜ ହାତରେ ଏକ ରୋବଟ୍‌ ନିର୍ମାଣ କରିଛନ୍ତି।

Advertisment

publive-image

ଏହି ରୋବଟ୍‌ର ବିଶେଷତ୍ବ ହେଉଛି, ଯଦି କେହି କରମର୍ଦ୍ଦନ ପାଇଁ ରୋବଟ୍‌ଟିକୁ ହାତ ବଢ଼ାଇବେ, ତାହେଲେ ଏହା ନିଜ ହାତ ଉପରକୁ କିମ୍ବା ତଳକୁ କରିଦିଏ। ଖାଲି ଏତିକି ନୁହେଁ, ତାକୁ ସ୍ପର୍ଶ କରିବାକୁ ଉଦ୍ୟତ ହେଲେ ମୁଣ୍ଡ ହଲାଇ ଥାଏ। କରମର୍ଦ୍ଦନ ବଦଳରେ ଗୋଟିଏ ହାତରୁ ସ୍ବୟଂଚାଳିତ ସାନିଟାଇଜର୍ ସିଞ୍ଚନ ହୋଇଥାଏ। ଏହା ରିମୋଟ୍ ଦ୍ବାରା ପରିଚାଳିତ। ରୋବଟ୍‌ଟି ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନକୁ ଯାଇପାରୁଛି। ଏଥିରେ ଖଞ୍ଜାଯାଇଥିବା କ୍ୟାମେରା ମଧ୍ୟ ଗୋଟିଏ ପଟରୁ ଅନ୍ୟ ପଟକୁ ଘୂରିଥାଏ। ୨ଟି ସଫ୍ଟୱେୟାର୍, ଅଲ୍‌ଟ୍ରାସୋନିକ୍ ସେନ୍‌ସର୍, ଆଇଆର୍ ସେନ୍‌ସର୍, ମୋଟର ଡ୍ରାଇଭ୍, ୩ଟି ସାଧାରଣ ମୋଟରକୁ ନେଇ ଗୋଟିଏ ସର୍ଭୋ, ଗୋଟିଏ ପମ୍ପିଙ୍ଗ୍ ମୋଟର, ଏଲ୍ଇଡ଼ି ଲାଇଟ୍ ଓ ସାନିଟାଇଜର୍ ଟ୍ୟାଙ୍କ୍ ସହିତ କିଛି କାର୍ଡ଼ବୋର୍ଡ଼ ଦ୍ବାରା ଏହି ରୋବଟ୍‌ ପ୍ରସ୍ତୁତ। ରୋବଟ୍‌ର ପଛପଟେ ଥିବା ଚାମ୍ବର୍‌ରୁ ପମ୍ପ୍ ଦ୍ବାରା ସାନିଟାଇଜର୍ ଉପରକୁ ଆସି ବହିଥାଏ।

publive-image

ସବୁଠୁ ଉଲ୍ଲେଖନୀୟ ହେଉଛି, ଏହି ରୋବଟ୍‌ ୬ରୁ ୭ମିଟର ଦୂରରେ କୌଣସି ବ୍ୟକ୍ତି ସଂସ୍ପର୍ଶରେ ଆସିଲେ ତାହା ସ୍ବୟଂଚାଳିତ ଭାବେ ଚାଲୁ ହୁଏ। ଗୋଡ଼ରେ ଚକ ଲାଗିଥିବାରୁ ତାହା ଆଗକୁ କିମ୍ବା ପଛକୁ ଚଳପ୍ରଚଳ କରିଥାଏ। ଏହାର ବେକ ନିକଟରେ ସିସି କ୍ୟାମେରା ଏହା ଗତି କରୁଥିବା ଦିଗ ଅନୁଧ୍ୟାନ କରେ। ୱାଇଫାଇ ଦ୍ବାରା ଏହାକୁ ମୋବାଇଲ୍‌କୁ ସଂଯୋଗ କରା ଯାଇପାରେ। ମୋବାଇଲ୍‌ରେ ଥିବା ରିମୋଟ୍ ଆପ୍ ଦ୍ବାରା ଏହା ଗତିଶୀଳ ହୁଏ। ଏହା ବ୍ୟାଟେରି, ବିଦ୍ୟୁତ୍ ଓ ସୌରଶକ୍ତି ଦ୍ବାରା ଚାଲିପାରିବ। ଏଥିପାଇଁ ପାଖାପାଖି ୩୦୦୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ବଳରାମ କହିଛନ୍ତି। ପଠାଣି ସାମନ୍ତ ସାହୁଙ୍କ ପୁଅ ବଳରାମ ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ରୋଲାଣ୍ଡ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ମେକାନିକାଲ୍ ବ୍ରାଞ୍ଚ୍‌ ଚତୁର୍ଥ ବର୍ଷରେ ପଢ଼ୁଛନ୍ତି।