ମାଟ୍ରିକ ପରୀକ୍ଷାରେ ଫେଲ ହେବାରୁ ବିଷ ପିଇ ଛାତ୍ରର ଆତ୍ମହତ୍ୟା ! ବାପା-ମାଆଙ୍କର ଥିଲା ଗୋଟିଏ ବୋଲି ପୁଅ

ଭୁବନେଶ୍ୱର :ମାଟ୍ରିକ ପରୀକ୍ଷା ଫଳ ଖରାପ ହେବାରୁ ଯାଜପୁର ଜିଲ୍ଲାର ବରି ବ୍ଲକ ଅଞ୍ଚଳର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଖବର ମିଳିଛି । ମିଳିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ପରୀକ୍ଷାରେ ଫେଲ ହେବାରୁ କମ୍ବୁନାଥ ମଲ୍ଲିକଙ୍କ ପୁଅ ପଦ୍ମଲୋଚନ ମଲ୍ଲିକ୍‌ ଘରେ ଥିବା ବିରି ପୋକ ଔଷଧ ଖାଇ ଆତ୍ମହତ୍ୟା କରିଛି । ତେବେ ସେ ପରୀକ୍ଷାରେ ଫେଲ ହେବାରୁ ଅଥବା ଅନ୍ୟ କୌଣସି କାରଣ ପାଇଁ ଆତ୍ମହତ୍ୟା କରିଛି ସେ ସମ୍ପର୍କରେ ପୁଲିସ ସବିଶେଷ ଅନୁସନ୍ଧାନ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ମ୍ୟାଟିକ୍‌ରେ ପଦ୍ମଲୋଚନ ସର୍ବମୋଟ ୨୬୫ନମ୍ବର ରଖି ଅସଫଳ ହୋଇଥିଲା। ଫଳରେ ଦୁଃଖରେ ଭାଙ୍ଗିପଡ଼ି ଘରେ ଥିବା  ପୋକମରା ଔଷଧ ଖାଇ ଦେଇଥିଲା। ତାକୁ ସଙ୍ଗେସଙ୍ଗେ ଅଲ୍ଲୀପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ଟାଉନ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତର ସେଠାରେ ପଦ୍ମଲୋଚନକୁ ମୃତ ବୋଲି ଘୋଷଣା କରିଥିଲେ। ତେବେ ପଦ୍ମଲୋଚନ ବାପା-ମାଆଙ୍କ ଗୋଟିଏ ପୁଅ ଥିଲା। ପୁଅକୁ ହରାଇ ବାପା-ମାଆ ଦୁଃଖରେ ଭାଙ୍ଗି ପଡ଼ି ପାଗଳ ପ୍ରାୟ ହୋଇପଡ଼ିଛନ୍ତି।

ଏଥିରେ ମୋଟ୍ ୪ଲକ୍ଷ ୩୮ହଜାର ୩୪୮ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥର ପରୀକ୍ଷାରେ ୭୬.୨୩ ପ୍ରତିଶତ ପରୀର୍କ୍ଷଥୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୧ ହଜାର ୭୧୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୮୦ରୁ ୯୦ ପ୍ରତିଶତ ନମ୍ବର ରଖି ପାସ କରିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ହେଉଛି ୧୫ ହଜାର ୬୮୯। ସେହିପରି ଗତବର୍ଷ ତୁଳନାରେ ଏଥର ଅଧିକ ସ୍କୁଲରେ ପରୀକ୍ଷା ଫଳ ଶୂନ ହୋଇଛି। ଗତବର୍ଷ ୨୨ଟି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ୍ୟ ହୋଇଥିବା ବେଳେ ଚଳିତ ବର୍ଷ ୩୬ଟିି ବିଦ୍ୟାଳୟର ପରୀକ୍ଷା ଫଳ ଶୂନ ରହିଛି।

ସମ୍ବନ୍ଧିତ ଖବର