ପାଠ ପାଇଁ ଜୀବନ ହାରିଲେ : ବାପା ନାମଲେଖା ଫି’ ନ ଦେଇପାରିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା କେଲୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା କଲେଜରେ ନାମ ନଲେଖାଇ ପାରିବାରୁ ଏଥିରେ ଭାଙ୍ଗିପଡ଼ି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

image source–new indian express

ନାକରୁଣ୍ଡି ପଞ୍ଚାୟତ କେଲୁଆ ଗ୍ରାମର ଶ୍ୟାମ ମାଝୀଙ୍କୁ ପୁଅ ସଞ୍ଜୟ ମାଝୀ (୧୯) ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିଥିଲେ। ସଞ୍ଜୟଙ୍କ ଉଚ୍ଚଶିକ୍ଷା ପାଇଁ ଇଚ୍ଛା ଥିବାରୁ ଗତ ୬ ତାରିଖ ଦିନ ବାପା (ଶ୍ୟାମ ମାଝୀ) ଙ୍କୁ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ କହିଥିଲେ। କିନ୍ତୁ ପାଖରେ ଟଙ୍କା ନଥିବାରୁ ଚଳିତ ବର୍ଷ ନାମ ଲେଖାଇବା ପାଇଁ ବାପା ମନା କରିଥିଲେ। ଆସନ୍ତା ବର୍ଷ କଲେଜରେ ନାମ ଲେଖାଇବୁ ବୋଲି କହିଥିଲେ। ଏହାପରେ ସ୍ବାମୀ-ସ୍ତ୍ରୀ ନିଜ ଜମିକୁ ଚାଲିଯାଇଥିଲେ। ଏଥିରେ ସଞ୍ଜୟ ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକକୁ ପିଇ ଦେଇଥିଲେ। ଘରେ ଥିବା ଭଉଣୀ ସରିତା ଭାଇର ଏଭଳି ଅବସ୍ଥା ଦେଖି ବାପା-ମାଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସଞ୍ଜୟଙ୍କୁ ଚିକିତ୍ସା ନିମନ୍ତେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କ ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର