ନଦୀକୁ ଡେଇଁଲେ ଛାତ୍ର

ବ୍ଲୁ-ହେ୍ଵଲ ଗେମ୍‌ ସନ୍ଦେହ

ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍‌ରେ ପୋଷ୍ଟିଂ

କେନ୍ଦ୍ରାପଡା/ମାର୍ଶାଘାଇ/କରିଲୋପାଟଣା : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଧୀନ ବସପୁର ସେତୁ ଉପରୁ ଲୁଣା ନଦୀକୁ ଡେଇଁ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି କେଶବ ମଲିକ। ତାଙ୍କ ଘର କେନ୍ଦ୍ରାପଡ଼ା ବ୍ଲକ ଭରତପୁର ପଞ୍ଚାୟତ ଅଧୀନ ପାରାଚକରେ। ସେ ଡେରାବିଶସ୍ଥିତ ଛତା ପଲିଟେକ୍‌ନିକ ଶିକ୍ଷା ସଂସ୍ଥାର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଏହା ପୂର୍ବରୁ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ନିଜ ମୃତ୍ୟୁ ବିଷୟ ଉଲ୍ଲେଖ କରିଛନ୍ତି। ‘ମୁଁ ମରିଯାଇଛି’ ବୋଲି ପୋଷ୍ଟ କରିଥିବା ଜଣାପଡ଼ିଛି। ବ୍ଲୁହେ୍ଵଲ୍‌ ଗେମ୍‌ ପ୍ରଭାବରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଆଶଙ୍କା କରାଯାଉଛି। ପୁଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ପାରାଚକ ଗ୍ରାମର ଶରତ ଚନ୍ଦ୍ର ମଲିକଙ୍କ ଏକମାତ୍ର ପୁଅ କେଶବ ସବୁଦିନ ପରି ଆଜି ଭୋରରୁ ଫୁଲ ତୋଳିବାକୁ ଯାଉଛି ବୋଲି କହି ଘରୁ ବାହାରି ଆସିଥିଲେ। ସାଇକେଲରେ ବସପୁର ସେତୁ ନିକଟକୁ ଆସି ଲୁଣା ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ସେଠାରେ ରୁଣ୍ଡ ହୋଇଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଦିନ ପ୍ରାୟ ୨ଟା ବେଳକୁ ନଦୀରୁ ମୃତଦେହ ଉଦ୍ଧାର କରିଥିଲେ। ପୋଲ ଉପରୁ କେଶବଙ୍କ ଚପଲ, ସାଇକେଲ, ମୋବାଇଲ ରଖାଯାଇଥିବା ଦେଖିବାକୁ ମିଳିଥିଲା।

ତେବେ ଗତକାଲି ବିଳମ୍ବିତ ରାତିରେ କେଶବ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ‘ମୁଁ ମରିଯାଇଛି’ ବୋଲି ଲେଖି ପୋଷ୍ଟ କରିଥିବା ତାଙ୍କର କେତେଜଣ ବନ୍ଧୁ ଦେଖିଥିଲେ। ୪/୫ ମାସ ତଳେ କେଶବ ହାତକୁ ବ୍ଲେଡରେ କାଟି ଦେଇଥିବା ଜଣାପଡ଼ିଛି। ଏସବୁ ଘଟଣାରୁ ସେ ବ୍ଲୁହେ୍ଵଲ୍‌ ଗେମ୍‌ ଖେଳୁଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର