କଂଗ୍ରେସର ‘ନୌକରୀ ଦୋ ୟା ଡିଗ୍ରି ୱାପସ ଲୋ’ କାର୍ଯ୍ୟକ୍ରମ : ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ

ବ୍ୟାରିକେଡ୍‌ ଭାଙ୍ଗି ଗିରଫ ହେଲେ କଂଗ୍ରେସ ନେତା ଓ କର୍ମୀ
ଯୋଗଦେଲେ ପିସିସି ସଭାପତିଙ୍କ ସମେତ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଭାପତି

ଭୁବନେଶ୍ବର : ନବୀନ ସରକାରଙ୍କ ବର୍ଷକୁ ୨ ଲକ୍ଷ ଓ ମୋଦୀ ସରକାରଙ୍କ ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ଫମ୍ପା ପ୍ରତିଶ୍ରୁତି ଆଉ କେତେ ଦିନ? ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ। ଏହାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ‘ନୌକରୀ ଦୋ ୟା ଡିଗ୍ରି ୱାପସ୍‌ ଲୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନୱାଜଙ୍କ ନେତୃତ୍ବରେ ଏକ ବିଶାଳ ରାଲି ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ବେଳେ ରାଜମହଲ ଛକ ନିକଟରେ ପୁଲିସ ବ୍ୟାରିକେଡ୍‌ ଭାଙ୍ଗିଥିଲେ। ପରେ ଶତାଧିକ ନେତା ଓ କର୍ମୀଙ୍କୁ ପୁଲିସ ଗିରଫ କରିଛି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ମୋଦୀ ଓ ନବୀନ ସରକାରଙ୍କୁ ସମାଲୋଚନା କରିବା ସହ କୁଶାସନ ବିରୋଧରେ ଜୋରଦାର ଲଢ଼େଇ କରିବାକୁ ଆହ୍ବାନ ଦେଇଛନ୍ତି।

ସ୍ଥାନୀୟ କଂଗ୍ରେସ ଭବନରେ ଆୟୋଜିତ ସଭାରେ ଯୋଗଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ବ୍ୟାପକ ଦୁର୍ନୀତି, ମହିଳା ଗଣଦୁଷ୍କର୍ମ ଘଟଣାରେ ବିଜୁବାବୁଙ୍କ ସ୍ବପ୍ନ ଓ ମୋଦୀଜୀଙ୍କ ଅଚ୍ଛେଦିନ ପ୍ରକଟିତ ହୋଇଛି। ଗୋଟିଏ ରାଜ୍ୟର ଭାଗ୍ୟ ବଦଳାଇବା ପାଇଁ ମାତ୍ର ୧୦ ବର୍ଷ ଯଥେଷ୍ଟ। ନବୀନ ସରକାର ଓଡ଼ିଶାର ଭାଗ୍ୟ ବଦଳାଇବେ କ’ଣ ଓଡ଼ିଶାକୁ ୫୦ ବର୍ଷ ପଛକୁ ଠେଲି ଦେଇଛନ୍ତି। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ନିରଜ କୁନ୍ଦନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ନବୀନ ସରକାର ବର୍ଷକୁ ୨ ଲକ୍ଷ ଓ ମୋଦୀ ସରକାର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଦେଇ ଛାତ୍ର ଓ ଯୁବ ସମାଜକୁ ଭୁଆଁ ବୁଲାଉଛନ୍ତି। ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ପ୍ରତାରକ। ଏବେ ଅଶୋଧିତ ତୈଳଦର ବ୍ୟାରେଲ୍‌ ପିଛା ମାତ୍ର ୬୦ ଡଲାର ଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କାରେ ପହଞ୍ଚିଲାଣି। ପେଟ୍ରୋଲ ଓ ଡିଜେଲ ଉପରୁ ମୋଦୀ ଟିକସ ଓ ନବୀନ ଟିକସ ମିଶି ୭୦ ପ୍ରତିଶତ। ପୁରପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ନବୀନ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବାକୁ ଶ୍ରୀ କୁନ୍ଦନ ଛାତ୍ର ସମାଜକୁ ଆହ୍ବାନ ଦେଇଥିଲେ।

ଏହି ଅବସରରେ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ରୋଶନ ଲାଲ୍‌ ବିଟୁ ଉଭୟ ସରକାରଙ୍କୁ ସମାଲୋଚନା କରିବା ସହ ଛାତ୍ର ସମାଜ ପାଇଁ ଲଢ଼େଇ କରୁଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ଛାତ୍ର କଂଗ୍ରେସ ନେତା ଓ କର୍ମୀଙ୍କୁ ଶପଥ ପାଠ କରାଇଥିଲେ। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଥିଲେ ଯେ ଆଜି ଛାତ୍ର ସମାଜ କହୁଛି ଯେ ଯଦି ନିଯୁକ୍ତି ନ ଦେଇ ପାରୁଛ ତେବେ ଭତ୍ତା ଦିଅ, ଭତ୍ତା ନ ଦେଇପାରିଲେ ଡିଗ୍ରି ଫେରାଇ ନିଅ। ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ଛାତ୍ର ସମାଜକୁ ସଂଗଠିତ କରି ଯୁବ ଛାତ୍ର ବିରୋଧୀ ନବୀନ ସରକାର ବିରୋଧରେ ଜନଆନ୍ଦୋଳନ କରାଯିବ। ଏହି କାର୍ଯ୍ୟକ୍ରମରେ ଏବିଭିପିର ୫ ଜଣ ନେତା କଂଗ୍ରେସ ଦଳରେ ଯୋଗ ଦେଇଥିଲେ।

ସଭାପରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲା। ରାଜମହଲ ଛକ ନିକଟରେ ପୁଲିସ ଅଟକାଇବାରୁ ପୁଲିସ ସହ ଧସ୍ତାଧସ୍ତି ହେବା ସହ ଛାତ୍ର କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍‌ ଭାଙ୍ଗିଥିଲେ। ପରେ ପୁଲିସ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଭାପତି ନିରଜ କୁନ୍ଦନ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଆଦିତ୍ୟ ଚୌଧୁରୀ, ବିବେକ ସିଂ ପଟେଲ, ରାହୁଲ ପ୍ରମୁଖ ଛାତ୍ର କଂଗ୍ରେସର ନେତୃବୃନ୍ଦ ଓ କର୍ମୀମାନଙ୍କୁ ଗିରଫ କରିଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, କଂଗ୍ରେସ ନେତା ସଂଗ୍ରାମ କେଶରୀ ଜେନା, ମାନସ ଚୌଧୁରୀ, ଶିବାନନ୍ଦ ରାୟ, ରଜତ ଚୌଧୁରୀ, ରାଜୀବ ପଟ୍ଟନାୟକ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ୍‌ ଦାସ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର