ଛାତ୍ର କଂଗ୍ରେସ ଗର୍ଜିଲା; ବିଜେଡି ଗୁଣ୍ଡାଙ୍କୁ ବାନ୍ଧ

କାର୍ଯ୍ୟରତ ପୁଲିସକୁ ଗିରଫ କର, ନହେଲେ ୧୬ରେ ନବୀନ ନିବାସ ଘେରାଉ

ଭୁବନେଶ୍ବର : ଗାଣତାନ୍ତ୍ରିକ ପ୍ରକ୍ରିୟାରେ ଟୁକୁନି ସାହୁଙ୍କୁ ବିରୋଧ କରୁଥିବା ବେଳେ ଆକ୍ରୋଶମୂଳକ ଭାବେ ବରଗଡ଼ ପୁଲିସ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଆଜାଦଙ୍କୁ ଗିରଫ କରିଛି। ପୁଲିସ ହେପାଜତ୍‌ରେ ଥିବା ବେଳେ ତାଙ୍କୁ ଗୁଣ୍ଡାମାନେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏହା ସବୁ ବିଜେଡିର ପ୍ରାୟୋଜିତ। ପୁଲିସ ବିଜେଡିର ଗୁଣ୍ଡା ସାଜି ଏଭଳି ବେଆଇନ କାମ କରିଛି। ତୁରନ୍ତ ସମ୍ପୃକ୍ତ ଗୁଣ୍ଡାଙ୍କୁ ଗିରଫ ଓ ସମ୍ପୃକ୍ତ ପୁଲିସ୍‌ ଅଫିସରକୁ ନିଲମ୍ବନ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ବିଜେଡି ବିରୋଧରେ ବିଷୋଦ୍‌ଗାର କରିବା ସହ ଦାବି ପୂରଣ ନ ହେଲେ ଡିଜି ଅଫିସ୍‌ ଓ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ଯଦି ୨୪ ଘଣ୍ଟା ଭିତରେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଗୁଣ୍ଡାଙ୍କୁ ଗିରଫ ଓ ଆକ୍ରମଣର ସୁଯୋଗ ଦେଇଥିବା କାର୍ଯ୍ୟରତ ପୁଲିସ ଅଫିସରଙ୍କୁ ନିଲମ୍ବିତ କରା ନଯାଏ, ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଭୁବନେଶ୍ବର ସ୍ଥିତ ଡିଜି କ୍ୟାମ୍ପ ଅଫିସ ଘେରାଉ କରାଯିବ। ସେଠାରୁ ନବୀନ ନିବାସ ଯାଇ ବିକ୍ଷୋଭ କରାଯିବ। ସାରା ରାଜ୍ୟରେ ଯେଉଁଠିକୁ ମନ୍ତ୍ରୀମାନେ ଗସ୍ତ କରିବେ, ସେଠାରେ ସେମାନଙ୍କୁ ଛାତ୍ର କଂଗ୍ରେସ ବିରୋଧ କରିବ। ଭୁବନେଶ୍ବରସ୍ଥିତ ସମସ୍ତ ମନ୍ତ୍ରୀଙ୍କୁ ସରକାରୀ ବାସଭବନ ଆଗରେ ମଧ୍ୟ ଛାତ୍ର କଂଗ୍ରେସ ବିକ୍ଷୋଭ କରିବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ରଜତ ଚୌଧୁରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର