ଠକେଇ ଅଭିଯୋଗରେ ଛାତ୍ର କଂଗ୍ରେସ ନେତା ଗିରଫ

ଅନୁଗୁଳ : ଠକେଇ ଅଭିଯୋଗରେ ଅନୁଗୁଳର ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କୁ ପୁଲିସ ଗିରଫ କରିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ରାଜ୍ୟ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ତଥା ଅନୁଗୁଳର ଯୁବନେତା ପ୍ରଦ୍ୟୁମ୍ନ କୁମାର ସାହୁ କିଛିଦିନ ତଳେ ତାଳଚେର ଅଞ୍ଚଳର ସୁବ୍ରତ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅମୂଲ କମ୍ପାନିର ଡିଷ୍ଟ୍ରିବ୍ୟୁଟରସିପ କରାଇଦେବା ପାଇଁ କହି ଏକ ଲକ୍ଷ ଟଙ୍କା ମାଗିଥିଲେ। ସୁବ୍ରତ ମଧ୍ୟ ତାଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ। ପ୍ରଦ୍ୟୁମ୍ନ ଟଙ୍କା ପାଇବା ପରେ ଡିଷ୍ଟ୍ରିବ୍ୟୁଟରସିପ ସଂପର୍କିତ କିଛି ଜାଲ କାଗଜପତ୍ର କରି ସୁବ୍ରତଙ୍କୁ ଦେଇଥିଲେ। ହେଲେ ସୁବ୍ରତଙ୍କୁ ଡିଷ୍ଟ୍ରିବ୍ୟୁଟରସିପ୍‌ ନ ମିଳିବାରୁ ସେ ଏ ନେଇ ଟ୍ବିଟର୍‌ରେ ଅମୂଲ କମ୍ପାନିର ଦୃଷ୍ଟି ଆକର୍ଷଣ କରିଥିଲେ। କମ୍ପାନି କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଜାଣିବା ପରେ ସୁବ୍ରତଙ୍କ ପାଖକୁ ଆସି ପ୍ରଦ୍ୟୁମ୍ନ ଦେଇଥିବା କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏହି ସବୁ କାଗଜପତ୍ର ନକଲି ଜାଣି ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମ୍ପାନି ପକ୍ଷରୁ ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ପ୍ରଦ୍ୟୁମ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର