ସତ୍ୟନଗର ମଶାଣି କାନ୍ଥରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇଲା ଛାତ୍ର କଂଗ୍ରେସ

ଭୁବନେଶ୍ବର : ଟିକାକରଣ କେନ୍ଦ୍ରରେ ଓ ଟିକା ସାର୍ଟିଫିକେଟରେ ଫଟୋ ରଖିବା ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ଚାଲିଛି, ବିଭିନ୍ନ ସ୍ଥାନରେ ବ୍ୟାନର ଚିରା ଯାଉଛି। କରୋନା ଟିକା ଦେଇ ଶ୍ରେୟ ନେବାକୁ ଆଗଭର ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାର ବି କରୋନା ନିୟନ୍ତ୍ରଣରେ ବିଫଳତାକୁ ସ୍ବୀକାର କରିବା ଦରକାର। ଯଦି ଟିକା କେନ୍ଦ୍ରରେ ଓ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିବ ତେବେ ଆଜି ଯେଉଁମାନେ ଚିକିତ୍ସା ଅଭାବରୁ ମରିଛନ୍ତି ସେମାନଙ୍କ ଶବସତ୍କାର ନିକଟରେ ବି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବା ଦରକାର। ଏମିତି କହି ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସତ୍ୟନଗର ଶ୍ମଶାନ କାନ୍ଥରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଛି। ଆଗାମୀ ଦିନରେ ଏଠାରେ ଦୁଇ ନେତାଙ୍କର ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ସବୁ ମଶାଣି କାନ୍ଥରେ ଏହି ଦୁଇ ନେତାଙ୍କ ଫଟୋ ଲାଗିବ ଏବଂ ମୃତ୍ୟୁ ପାଇଁ ସେମାନେ ଦାୟୀ ଲେଖାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି।

ବୁଧବାର ପ୍ରଦେଶ ଛାତ୍ର କଂଗ୍ରେସର ସଦସ୍ୟମାନେ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସତ୍ୟନଗର ଶ୍ମଶାନ ପର୍ଯ୍ୟନ୍ତ ଆସିଥିଲେ। ମଶାଣି କାନ୍ଥରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବା ପରେ ୟାସିର ନୱାଜ କହିଥିଲେ ଯେ ଯଦି ପେଟ୍ରୋଲ ଓ ଡିଜେଲ ଟିକସରେ କରୋନା ଟିକା ଦିଆଯାଉଛି, ତେବେ ଏହି ଦୁଇ ନେତା ଫଟୋ ଲଗାଇବାକୁ ବ୍ୟଗ୍ର କାହିଁକି? ଯଦି ଟିକା ତୁମର ବୋଲି କହିପାରୁଛ ତେବେ ମଶାଣିର ଭୟଙ୍କର ପରିସ୍ଥିତି ପାଇଁ ନିଜକୁ କାହିଁକି ଦାୟୀ କରୁନ? ଆଜିର ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ପ୍ରୀତମ, ସୁନିଲ ମାଟିଆ, ଅଖିଳେଶ ଯାଦବ, ମହମ୍ମଦ ଗୁଲଫାମ୍ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର