ସାରା ରାଜ୍ୟରେ ଯୁବ କଂଗ୍ରେସର ବିକ୍ଷୋଭ

ମୋଦୀ, ଅମିତ ଶାହ, ଧର୍ମେନ୍ଦ୍ର, ବସନ୍ତଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ବର: ଯୁବ କଂଗ୍ରେସର ପ୍ରଚାର ରଥ ଉପରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ ବିରୋଧରେ ବିକ୍ଷୋଭ କରିଛି ଯୁବ କଂଗ୍ରେସ। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ନେତୃତ୍ବର ଯୁବ କଂଗ୍ରେସ କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରିଛି। ପ୍ରକାଶଥାଉକି, ସାରାଦେଶରେ ନିଯୁକ୍ତି ଓ ବେକାରୀ ସମସ୍ୟା, ଚାଷୀ ମାରଣ ନୀତି ନେଇ ଚଳିତ ମାସ ୧୬ ତାରିଖରୁ ଅଖିଳ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ଯୁବକ୍ରାନ୍ତି ଯାତ୍ରା ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଥିଲା। ଯାତ୍ରାରେ ଅଖିଳଭାରତ ଯୁବ କଂଗ୍ରେସର ସଭାପତି କେଶବ ଚନ୍ଦ୍ର ଯାଦବ ଏବଂ ଉପସଭାପତି ବି.ଭି ଶ୍ରୀନିବାସ ନେତୃତ୍ବରେ ଯୁବ କ୍ରାନ୍ତି ଯାତ୍ରା ଗାଡ଼ି ଭୁବନେଶ୍ବରେ ଆସି ପହଞ୍ଚିଥିଲା। ହେଲେ ଅରୁଗୁଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବିଜେପି କର୍ମୀମାନେ ଖୋର୍ଦ୍ଧାଠାରେ କଂଗ୍ରେସର ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଯୁବ କ୍ରାନ୍ତି ଯାତ୍ରା ଗାଡ଼ି ଗଞ୍ଜାମରୁ ଆସି ଖୋର୍ଦ୍ଧାରେ ପହଞ୍ଚିବା ପରେ ବିଜେପିର ଗୁଣ୍ଡା କର୍ମୀମାନେ ରାସ୍ତା ପାଖରେ ଠିଆ ହୋଇଥିବା ସଭାପତି କେଶବ ଚନ୍ଦ୍ର ଯାଦବ ଓ ଉପସଭାପତି ବି.ଭି ଶ୍ରୀନିବାସଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଫଳରେ ସଭାପତି ଓ ଉପସଭାପତି ବସିଥିବା ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଜେପିର ଏହି ଗୁଣ୍ଡାରାଜ ପ୍ରତିବାଦରେ ଆଜି ସମଗ୍ର ରାଜ୍ୟରେ ଯୁବ କଂଗ୍ରେସ ପକ୍ଷରୂୁ ନରେନ୍ଦ୍ର ମୋଦୀ,ଧର୍ମେନ୍ଦ୍ର ପ୍ରଧାନ,ବସନ୍ତ ପଣ୍ଡା ଏବଂ ଅମିତ ଶାହଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ରାଜୁ ପଠାନ,ରଞ୍ଜିତ ପାତ୍ର,ମନୋଜ ଜେନା,ବିଶ୍ବଜିତ ପାତ୍ର,କୃଷ୍ଣ ମହାନ୍ତି,ରୂପେଶ ବେହେରା,ବିଭୁ ଜେନା,ଜ୍ଞାନ ରାଉତ ଓ ରାଜା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର