ଛାତ୍ର କଂଗ୍ରେସର ନବୀନ ନିବାସ ଘେରାଉ ଉଦ୍ୟମ, ଶିଶୁ ଭବନ ଛକରେ ପୁଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ପୁରୀରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମର ପ୍ରତିବାଦ ଓ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଡାକରା ଦିଆଯାଇଥିଲା। ଦଳ ପକ୍ଷରୁ ଏକ ବାଇକ୍‌ ରୢାଲି କଂଗ୍ରେସ ଭବନରୁ ବାହାରି ଶିଶୁ ଭବନ ଛକରେ ପହଞ୍ଚିବା କ୍ଷଣି ସେଠାରେ ପୂର୍ବରୁ ପ୍ରସ୍ତୁତ ରହିଥିବା ପୁଲିସ ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ଲାଗି ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିକ୍ଷୋଭକାରୀ ଆଉ ଆଗକୁ ବଢ଼ି ପାରି ନଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା, ଯେଉଁ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜି ଇସ୍ତଫା ଦେବା ଦାବିରେ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ୪୮ ଘଣ୍ଟା ମଧ୍ୟରେ ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ସାରା ରାଜ୍ୟରେ ଅଣ୍ଡା ମାଡ଼ ଓ କଟକରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ସମ୍ପାଦକ ରାଜୀବ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ରାଜ୍ୟ ଉପସଭାପତି ଗୋପନ ମାର୍ଥା, ସମ୍ପାଦକ ରଞ୍ଜିତ ପାତ୍ର, ଜିଲ୍ଲା ସଭାପତି ୟସିର ନୱାଜ, ବିଭୁଦତ୍ତ ରଥ, ପ୍ରସନ୍ନ ମାର୍ଥା, ଅଜୟ ସାହୁ, ସ୍ୱାଗତ କର, ବାଦଲ ମହାନ୍ତି, ଶଙ୍କୁନି କହଁର, ବିରଞ୍ଚି ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର