ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ବରେ ‘ଶକ୍ତି ମାର୍ଚ୍ଚ’ ଅନୁଷ୍ଠିତ ହୋଇଛି। ୧୯୭୧ ମସିହାରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲେ। ପାକିସ୍ତାନକୁ ଦୁଇ ଭାଗ କରି ଆଉ ଏକ ଦେଶ ବାଂଲାଦେଶକୁ ସ୍ଥାପନ କରିଥିଲେ। ସେତେବେଳେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆମେରିକା ଚାପ ସୃଷ୍ଟି କରିଥିଲା। ମାତ୍ର ଏହି ଚାପକୁ ସେ ଖାତିର କରି ନ ଥିଲେ। ମାତ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଆମେରିକା ଚାପରେ ତୁରନ୍ତ ଯୁଦ୍ଧ ବିରତି ଘୋଷଣା କରିଦେଲେ। ଏହା ଭାରତ ପାଇଁ ଏକ ଲଜ୍ଜାକର ବିଷୟ। ତେଣୁ ସେଥିପାଇଁ ଆଜି ଇନ୍ଦିରା ଗାନ୍ଧୀଙ୍କୁ ଛାତ୍ର କଂଗ୍ରେସ ନେତା ମନପକାଇ ଏକ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏଥିରେ ଶାହାରୁଖ ଖାନ, ଜଗଦୀଶ ରାଉତ, ସାଇ ପ୍ରଭଞ୍ଜନ ମହାପାତ୍ର, ସିଦ୍ଧାନ୍ତ ଓମ ପ୍ରକାଶ, ଆଦିତ୍ୟ ଅଶୁଂମାନ ପାତ୍ର, ମହେଶ କୁମାର ଗରଡ଼, ଚିନ୍ମୟ ବେହେରା ଶିବ ରଞ୍ଜନ ସାହୁ , ଅମୀୟ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ।
ଏହା ପୂର୍ବରୁ ଆଜି କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସଭାପତିତ୍ବରେ ରାଜ୍ୟ କାର୍ଯ୍ୟକାରିଣୀ ‘ମନ୍ଥନ’ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଛାତ୍ର ନେତାମାନେ ଏଥିରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଛାତ୍ର କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରତ୍ୟେକ ଜିଲ୍ଲାରେ ଆନ୍ଦୋଳନକୁ ଜୋରଦାର କରାଯିବାକୁ ନିଷ୍ପତ୍ତି ହୋଇଛି। ଏହାସହ ତୃଣମୂଳସ୍ତରରେ ଛାତ୍ର କଂଗ୍ରେସକୁ କିଭଳି ସୁଦୃଢ଼ କରାଯିବ ତାହା ଉପରେ ଖସଡ଼ା ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ଅଭିଳାଷ ମାଣିଆ, ଜିନେଶ ଦାଶ, ସୁଧାଂଶୁ ସେଖର ଦେଓଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାପତି ଓ ଛାତ୍ର କଂଗ୍ରେସ କମିଟିର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ।