ଆଜି ରାତି ୧ଟା ପର୍ଯ୍ୟନ୍ତ ବାର୍ ଓ ଠିପି ଖୋଲା ମଦ ଦୋକାନ ଖୋଲା ରହିବା ନିଷ୍ପତ୍ତିକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର: ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ରାତି ୧ଟା ପର୍ଯ୍ୟନ୍ତ ବାର୍ ଓ ଠିପି ଖୋଲା ମଦ ଦୋକାନ ଖୋଲା ରହିବା ନିର୍ଦ୍ଦେଶନାମା ଜାରି ପରେ ଏହାକୁ ବିରୋଧ ଆରମ୍ଭ ହୋଇଛି। ଛାତ୍ର କଂଗ୍ରେସ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ କରାଯାଇଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କଟାକ୍ଷ କରି କହିଛନ୍ତି, ସରକାରଙ୍କର ଏହା ଦୋମୁହାଁ ନୀତି । ଗୋଟିଏ ପଟେ କହୁଛନ୍ତି ମଦ ପିଇ ଗାଡି ଚଳାଇଲେ ବେଲ୍ ମିଳିବ ନାହିଁ ସିଧା ଜେଲ । ଅନ୍ୟପଟେ ନୂଆବର୍ଷ ପାଇଁ ରାତି ଅଧ ପର୍ଯ୍ୟନ୍ତ ମଦ ଦୋକାନ ଖୋଲୁଛନ୍ତି । ମଦ୍ୟପାନ ଜନିତ ଦୁର୍ଘଟଣା ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ କି ବୋଲି ପ୍ରଶ୍ନ କରିଛନ୍ତି ସାଲୁଜା । ରାଜ୍ୟ ସରକାରଙ୍କ ରାଜସ୍ୱ ଅଭାବ ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହା କେବଳ ନୂଆ ବର୍ଷ ପାଳନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ଭୁବନେଶ୍ୱର, କଟକ ଓ ପୁରୀରେ ଆଜି ରାତି ଗୋଟାଏ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ବୋଲି ଘୋଷଣା କରିଥିଲେ ସରକାର । ଏ ନେଇ ଅବକାରୀ ବିଭାଗ ଅତିରିକ୍ତ ସଚିବ ଅବକାରୀ କମିସନରଙ୍କୁ ଚିଠି ଲଖି ଜଣାଇଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବାରୁ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବାର୍ ମାଲିକମାନେ ସ୍ବାଗତ କରିଥିବାବେଳେ ବୁଦ୍ଧିଜୀବୀମାନେ କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର