ଭୁବନେଶ୍ବର: ବେକାରି ସମସ୍ୟା ପାଇଁ ମୋଦୀ ଓ ନବୀନ ସରକାର ଦାୟୀ। ସରକାର ଏହାକୁ ଏଡ଼ାଇ ଯାଉଛନ୍ତି। ତେଣୁ ୫ ଦଫା ଦାବି ନେଇ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ‘ନିଯୁକ୍ତି କ୍ରାନ୍ତି’ ଘୋଷଣା କରାଯାଇଛି। ଏଥିରେ ଛାତ୍ର ଓ ଯୁବ ସମାଜ ସାମିଲ ହେବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେ, ରାଜ୍ୟ ସରକାର ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ। ୨୩ ବର୍ଷରେ ତାଙ୍କର ପ୍ରତିଶ୍ରୁତି ଅନୁଯାୟୀ ୪୬ଲକ୍ଷ ନିଯୁକ୍ତି ଦେବା କଥା। ମାତ୍ର ତାଙ୍କର ଏହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ରାଜ୍ୟ ସରକାରଙ୍କ ୨ଲକ୍ଷ ୨୬ ହଜାର ୫୫୯ଟି ପଦବି ଖାଲି ପଡ଼ିଛି। ନୂତନ ନିଯୁକ୍ତି ସୃଷ୍ଟି କରିବାରେ ନବୀନ ସରକାର ବିଫଳ। କଂଗ୍ରେସ ଅମଳରେ ହୋଇଥିବା ହଜାର ହଜାର ଶିଳ୍ପ ଏବେ ବନ୍ଦ ହୋଇଯାଇଛି। ୨୦୧୩ ମସିହାରେ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଯଦି ବିଜେପି ସରକାର ଆସେ ତେବେ ବର୍ଷକୁ ୨ କୋଟି ନିଯୁକ୍ତି ଦେବେ। ଗତ ୮ବର୍ଷରେ ମୋଦୀ ୧୬କୋଟି ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ମଞ୍ଜୁରିପ୍ରାପ୍ତ ସରକାରୀ ପଦବିରୁ ୨୪ ପ୍ରତିଶତ ଅର୍ଥାତ ୧୦ ଲକ୍ଷ ପଦ ଖାଲି ପଡ଼ିଛି।

ଛାତ୍ର କଂଗ୍ରେସର ଦାବି ମଧ୍ୟରେ ରହିଛି ୨ଲକ୍ଷ ୨୬ ହଜାର ୫୫୯ଟି ଖାଲି ପଡ଼ିଥିବା ସରକାରୀ ପଦବିକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ କରାଯାଉ। ସମସ୍ତ ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ୮୦ ପ୍ରତିଶତ ଓଡ଼ିଶା ଲୋକଙ୍କୁ ନିଯୁକ୍ତି, ସରକାରୀ ଚାକିରିରେ ଚୁକ୍ତିଭିତ୍ତିକ ଓ ଠିକା ନିଯୁକ୍ତି ବାତିଲ କରିବା, ଯେଉଁ ପ୍ରବାସୀ ଓଡ଼ିଆ ଓଡ଼ିଶାକୁ ଫେରି ନିଜର ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ ଦିଅନ୍ତୁ ଓ ବେକାରି ଭତ୍ତା ୫ହଜାର ଟଙ୍କା ଦିଆଯାଉ। ଯଦି ଆସନ୍ତା ୭ଦିନ ଭିତରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହି ଦାବି ଉପରେ ଉତ୍ତର ନ ରଖନ୍ତି ତେବେ ଛାତ୍ର କଂଗ୍ରେସ ‘ନିଯୁକ୍ତି କ୍ରାନ୍ତି’ ଜରିଆରେ ରାଜ୍ୟରେ ମହାସଂଗ୍ରାମ କରିବ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସୁନିଲ ମାଟିଆ, ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଅଖିଳେଶ ଯାଦବ ଓ ମନସା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।