କେନ୍ଦୁଝର: ଅତୀତରେ ଛାତ୍ର ରାଜନୀତିରୁ ରାଜ୍ୟ ଅନେକ ଚର୍ଚ୍ଚିତ ନେତୃତ୍ବ ପାଇଛି। ଛାତ୍ର ରାଜ‌ନୀତିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା କେନ୍ଦୁଝର ଜିଲ୍ଲାର ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ପରବର୍ତ୍ତୀ ସମୟରେ ରାଜ୍ୟ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେତେବେଳର କେନ୍ଦୁଝର ମହାବିଦ୍ୟାଳୟ ଛାତ୍ର ସଂସଦର ସାଧାରଣ ସଂପାଦକ ଥିଲେ। ବର୍ତ୍ତମାନର ଡିଡି ବିଶ୍ବବିଦ୍ୟାଳୟ ସେତେବେଳେ କେନ୍ଦୁଝର ମହାବିଦ୍ୟାଳୟ ଥିଲା। ୧୯୫୭-୫୮ରେ ଶ୍ରୀ ପଟ୍ଟନାୟକ ଏହି ମହାବିଦ୍ୟାଳୟର ସାଧାରଣ ସଂପାଦକ ଥିଲେ। ପରବର୍ତ୍ତୀ ସମୟରେ ସେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ପଢ଼ିବା ବେଳେ ୧୯୬୧-୬୨ ମସିହାରେ ପୁଣି ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ। ପରେ ଶ୍ରୀ ପଟ୍ଟନାୟକ ରାଜ୍ୟ ରାଜନୀତିର ମୁଖ୍ୟସ୍ରୋତରେ ସାମିଲ୍‌ ହୋଇ ଯୁବ କଂଗ୍ରେସର ସଂଯୋଜକ, ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷ, ଦୁଇଥର କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି, ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି, ଚାରିଥର ବିଧାୟକ, ତିନିଥର କ୍ୟାବିନେଟ୍‌ ମନ୍ତ୍ରୀ ଓ ଦୁଇଥର ପିସିସି ସଭାପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Advertisment

ସେହିପରି କେନ୍ଦୁଝର ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ରାଜନେତା ହେଲେ ଜୟଦେବ ଜେନା। ସେ ମଧ୍ୟ ନିଜର ରାଜନୈତିକ ଜୀବନ ଛାତ୍ର ରାଜନୀତିରୁ ଆରମ୍ଭ କରିଥିଲେ। ୧୯୭୧ରେ ଆନନ୍ଦପୁର ମହାବିଦ୍ୟାଳୟରେ ପଢ଼ିବା ବେଳେ ନାଟ୍ୟ ସଂସଦ ସଂପାଦକ ଥିଲେ ଜୟଦେବ। ଏହାପରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ବୃତ୍ତିଗତ ଜୀବନରେ ସେ‌ ଶିକ୍ଷକତା କରୁଥିବା ସମୟରେ ଅଲ୍‌ ଓଡ଼ିଶା ସେକେଣ୍ଡାରି ଟିଚର୍ସ ଫେଡେରେସନର ସାଧାରଣ ସଂପାଦକ ଥିଲେ। ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ସେ ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି, ପିସିସିର ସାଧାରଣ ସଂପାଦକ, ଉପସଭାପତି, ଏଆଇସିସିର ସଂପାଦକ, ଚାରିଥର ବିଧାୟକ, ତିନିଥର ମନ୍ତ୍ରୀ ଓ ପିସିସି ସଭାପତି ପଦ ଅଳଙ୍କୃତ କରିବାରେ ସମର୍ଥ ହୋଇଥିଲେ।