କେନ୍ଦ୍ରମନ୍ତ୍ରୀଙ୍କୁ ସ୍କୁଲ୍ର ଅବ୍ୟବସ୍ଥା ବଖାଣିଲେ କୁନି ଛାତ୍ର
ଖେଳିବାକୁ ପଡ଼ିଆ ନାହିଁ, ଖାଇବାକୁ ସ୍କୁଲ୍ରେ ଘର ନାହିଁ
ପୁରୀ : ଖେଳିବାକୁ ପଡ଼ିଆ ନାହିଁ। ମଧ୍ୟାହ୍ନ ଭୋଜନ ଖାଇବାକୁ ଘରଟିଏ ନାହିଁ। ସେଇ କ୍ଲାସ୍ରୁମ୍ରେ ପଢ଼ୁଛୁ, ସେଇଠି ଖାଉଛୁ ଆଉ ଖେଳୁଛୁ। ଲେବଲ କ୍ରସିଂ ବନ୍ଦ ଯୋଗୁ ଦେଢ଼ କିଲୋମିଟର ବୁଲିବୁଲି ସ୍କୁଲ୍ ଆସୁଛୁ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଆଗରେ ନିଜ ସ୍କୁଲ୍ର ଅବ୍ୟବସ୍ଥା ବାବଦରେ ଏମିତି ବଖାଣିଛନ୍ତି ଦ୍ବିତୀୟ ଶ୍ରେଣୀର କୁନି ଛାତ୍ର ବଦ୍ରିପ୍ରସାଦ ପଣ୍ଡା। ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବୀରପ୍ରତାପପୁର ଗ୍ରାମ ଗସ୍ତରେ ଯାଇଥିବା ବେଳେ କୁନି ଛାତ୍ରଙ୍କ ଏହି ଅଭିଯୋଗକୁ ଶୁଣିବା ପରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୀରପ୍ରତାପପୁର ପ୍ରାଥମିକ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ର ବଦ୍ରି ଓ ଅନ୍ୟ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ସ୍ବାଗତ କରିବା ଲାଗି ଅପେକ୍ଷା କରିଥିଲେ। କେନ୍ଦ୍ରମନ୍ତ୍ରୀ ଅପରାହ୍ନରେ ବୀରପ୍ରତାପପୁର ଗ୍ରାମରେ ପହଞ୍ଚିବା ପରେ ବଦ୍ରି ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଫୁଲଟିଏ ବଢ଼ାଇ ଦେଇ ନିଜ ସ୍କୁଲ୍ର ଅବ୍ୟବସ୍ଥା ବଖାଣିଥିଲେ। ମୁଖ୍ୟ ରାସ୍ତା ଉପରେ ସ୍କୁଲ୍ ଥିବାରୁ ପିଲାମାନେ ସ୍କୁଲ୍କୁ ବାହାରିଲେ ବିପଦ। ଏଣେ ସ୍କୁଲ୍ରେ ଖେଳ ପଡ଼ିଆଟିଏ ନାହିଁ କି ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଘରଟିଏ ମଧ୍ୟ ନାହିଁ। ତେଣୁ ସେଇ କ୍ଲାସ୍ରୁମ୍ରେ ସବୁକିଛି କରିବାକୁ ପଡ଼ୁଛି ବୋଲି କହିଥିଲେ। ତେବେ ସବୁଠୁ ବଡ଼ ଦୁଃଖ ଦେଉଛି ଲେବୁଲ୍ କ୍ରସିଂ ବନ୍ଦ ହେବା। ଏହା ବନ୍ଦ ହେବା ପରେ ପିଲାମାନେ ସ୍କୁଲ୍କୁ ଆସିବା ପାଇଁ ବହୁବାଟ ବୁଲିବାକୁ ପଡ଼ୁଛି। ତେଣୁ ଏହାର ସମାଧାନ ପାଇଁ ସେ ନିବେଦନ କରିଥିଲେ।