ବନ୍ଦ ସ୍କୁଲରେ ନିଆଁ, ଛାତ୍ରର ସନ୍ଦେହଜନକ ମୃତ୍ୟୁ

ରାଉରକେଲା : ବିଶ୍ରା ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଉପରବାହାଲ ପ୍ରାଥମିକ ସ୍କୁଲରେ ଆଜି ଦିନ ୧୧ଟାରେ ଅଚାନକ ନିଆଁ ଲାଗି ଯାଇଛି। ଏହି ନିଆଁରେ ସମ୍ପୃକ୍ତ ଗ୍ରାମର ଅନମୋଲ ଏକ୍କା (୧୩) ନାମକ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ରାଉରକେଲା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପୂର୍ବରୁ କୋମଳମତି ଛାତ୍ରର ମୃତ୍ୟୁ ହୋଇସାରିଥିଲା। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି। ଆଜି ଦିନ ୧୧ଟାରେ ସ୍କୁଲର ଏକ ଶ୍ରେଣୀ କୋଠରୀରୁ ଧୂଆଁ ବାହାରୁଥିବା ଦେଖି ଲୋକେ ସେଠାକୁ ଧାଇଁଥିଲେ। କୋଠରୀରେ ସ୍କୁଲର କାଗଜପତ୍ର ଜଳୁଥିବା ଓ ଗାଁର କାର୍ତ୍ତିକ ଏକ୍କାଙ୍କ ପୁଅ ଅନମୋଲ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଖରାଛୁଟି ପାଇଁ ବନ୍ଦ ଥିବା ସ୍କୁଲରେ କେମିତି ନିଆଁ ଲାଗିଲା ଓ ଛାତ୍ରଟି କେଉଁ ପରିସ୍ଥିତିରେ ସେଠାକୁ ଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର