୪୧ ଘଣ୍ଟା ପରେ ମିଳିଲା ନିଖୋଜ ଛାତ୍ରର ଶବ, କମ୍‌ ଉଚ୍ଚତା ପାଇଁ ସହପାଠିନୀ ଅପମାନିତ କରିଥିବା ଅଭିଯୋଗ

ରାଉରକେଲା : ଦୁଇ ଦିନ ପରେ ଆଜି କୋଏଲ ନଦୀରୁ ନିଖୋଜ ଛାତ୍ର ନୀଲେଶ ଦାଶଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୬ଟାରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପାଖାପାଖି ଦେଢ଼ ଘଣ୍ଟା ଖୋଜାଖୋଜି କରିବାପରେ ପ୍ରଧାନପଲ୍ଲୀଠାରେ ମୃତଦେହକୁ ପାଇଥିଲେ। ଝିରପାଣି ପୁଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବାପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ନାବାଳକ ପୁଅର ଆତ୍ମହତ୍ୟା ପଛରେ ଜଣେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଥିବା ନୀଲେଶଙ୍କ ବାପା ନିର୍ମଳ ଚନ୍ଦ୍ର ଦାଶ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ନୀଲେଶଙ୍କ ସହ ତାଙ୍କର ଜଣେ ସହପାଠିନୀ ମିଳାମିଶା କରୁଥିଲେ। ମାତ୍ର କିଛି ଦିନ ହେଲା ଉକ୍ତ ଛାତ୍ରୀ ଜଣକ ନୀଲେଶଙ୍କ ଉଚ୍ଚତାକୁ ନେଇ ନକାରାତ୍ମକ ଟିପ୍ପଣି କରିବା ସହ ସଂପର୍କ ତୁଟାଇ ଦେଇଥିଲେ। ଏଣୁ ମାନସିକ ଚାପରେ ନୀଲେଶ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, କୋଏଲନଗର ସି-୧୮୭ ସ୍ଥିତ ଭଡ଼ା ଘରେ ନିର୍ମଳ ଚନ୍ଦ୍ର ଦାଶ ପରିବାର ସହିତ ରହନ୍ତି। ଘରେ ତାଙ୍କ ସ୍ତ୍ରୀ, ଝିଅ ଓ ପୁଅ ନୀଲେଶ। ନୀଲେଶ ସ୍ଥାନୀୟ ଏମ୍‌ଜିଏମ୍‌ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ। ଗତ ଗୁରୁବାର ଦିନ ନୀଲେଶ ସ୍କୁଲକୁ ଯାଇଥିଲେ। କିନ୍ତୁ ସ୍କୁଲ୍‌ରେ ବ୍ୟାଗ୍‌ ଛାଡ଼ି ଝିରପାଣି ବ୍ରିଜ୍‌କୁ ପଳାଇ ଯାଇଥିଲେ। ଆଉ ସେଠାରେ କିଛି ସମୟ ବସିବା ପରେ ସେ ନଦୀକୁ ଡେଇଁ ପଡ଼ିଥିଲେ। ଗତ ଦୁଇ ଦିନ ଧରି ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖୋଜଖବର ମିଳିନଥିଲା। ଏଣୁ ଏହି ଘଟଣା ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା।

ସମ୍ବନ୍ଧିତ ଖବର