ସାପ କାମୁଡ଼ାରେ ଛାତ୍ର ମୃତ

ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କୁଲେମୁରା ଗ୍ରାମର ଲମ୍ବୋଦର ଭଇଁଷାଙ୍କ ପୁଅ ସୌମ୍ୟ ରଞ୍ଜନ ଭଇଁଷା (୧୪)ଙ୍କ ରବିବାର ରାତିରେ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ସୌମ୍ୟ ସାଲେଟିକିରା ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ସପ୍ତମ ଶ୍ରେଣୀରେ ପଢୁଥିଲେ।  ରବିବାର ରାତିରେ ସେ ମା’ ଈଶ୍ୱରୀଙ୍କ ସହ ଶୋଇଥିଲେ। ରାତି ପ୍ରାୟ ୧୨ଟା ବେଳେ ଏକ ଚିତି ସାପ ସୌମ୍ୟଙ୍କ ଆଖି ତଳକୁ କାମୁଡ଼ି ଦେଇଥିଲା।

କିଛି ସମୟ ପରେ ସୌମ୍ୟ ଆଖି ବିନ୍ଧୁଥିବା ବାପାଙ୍କୁ କହିଥିଲେ। ତେବେ ବିଛଣା ତଳେ ଏକ ବିଷାକ୍ତ ସାପ ଥିବା ଜାଣି ପରିବାର ଲୋକେ ତାକୁ ମାରି ଦେଇଥିଲେ। ପରେ ସାପ କାମୁଡ଼ିଥିବା ଆଶଙ୍କା କରି ସୌମ୍ୟଙ୍କୁ ମୁଦ୍ରାଯୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡା ଡାକ୍ତରଖାନା ନେବାକୁ କହିଥିଲେ। ତେବେ ସେଠାକୁ ନେବା ବେଳେ ବାଟରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା। ସୋମବାର ଶବ ବ୍ୟବଚ୍ଛେଦ ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର