ଚିକିତ୍ସାରେ ଅବହେଳା, ସେବାଶ୍ରମ ଛାତ୍ରଙ୍କ ମୃତ୍ୟୁ  

ରାୟଗଡ଼ା: ରାୟଗଡ଼ା ବ୍ଲକ୍ ପିପିଳଗୁଡ଼ା ପଞ୍ଚାୟତ ଚମ୍ପିକୋଟା ସେବାଶ୍ରମର ଚତୁର୍ଥ ଶ୍ରେଣୀ ଛାତ୍ର ରିଙ୍କୁ ତୋଇକାଙ୍କ ଆଜି ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ରିଙ୍କୁଙ୍କ ମୃତ୍ୟୁ ହୋଇଥିବା ବେଳେ ସେବାଶ୍ରମ କର୍ତ୍ତୃପକ୍ଷ ଚିକିତ୍ସାରେ ଅବହେଳା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ଉହାପକା ଗ୍ରାମର ଦୁଦୁମଣି ତୋଇକାଙ୍କ ପୁଅ ରିଙ୍କୁ ତୋଇକା ଚମ୍ପିକୋଟା ସେବାଶ୍ରମରେ ପଢ଼ୁଥିଲେ। ଗତକାଲି ମଧ୍ୟାହଣ୍ ଭୋଜନ ପରେ ରିଙ୍କୁ ଅସୁସ୍ଥ ଅନୁଭବ କରିବା ପରେ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ। ସ୍କୁଲ୍ କର୍ତ୍ତୃପକ୍ଷ ଜ୍ବର ଥିବା ସନ୍ଦେହରେ ମ୍ୟାଲେରିଆ କିଟରେ ପରୀକ୍ଷା କରିଥିଲେ। ମ୍ୟାଲେରିଆ ପଜିଟିଭ୍ ଆସିବା ପରେ ଏଏନ୍ଏମ୍ ପ୍ରଦାନ କରିଥିବା ମେଡ଼ିସିନ୍ ଦେଇଥିଲେ। ମେଡ଼ିସିନ୍ ଖାଇବା ପରେ ରିଙ୍କୁ ସୁସ୍ଥ ଅନୁଭବ କରିବା ସହ ସଂଧ୍ୟାରେ ସ୍କୁଲ୍ ପରିସରରେ ଖେଳାବୁଲା କରିଥିଲେ। କିନ୍ତୁ ରାତିରେ ପୁଣି ଜ୍ବର ଆସିବା ସହ ଭୋରରେ ନିଶ୍ବାସ ପ୍ରଶ୍ବାସ ନେବାରେ ରିଙ୍କୁ କଷ୍ଟ ଅନୁଭବ କରିବା ପରେ ସ୍କୁଲ୍ କର୍ତ୍ତୃପକ୍ଷ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ରାସ୍ତାରେ ରିଙ୍କୁର ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିବା ବେଳେ ମେଡ଼ିକାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକ ମେଡ଼ିକାଲରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲିଠୁ ସ୍ବାସ୍ଥ୍ୟ ଖରାପ ଥିବା ବେଳେ ସ୍କୁଲ୍ କର୍ତ୍ତୃପକ୍ଷ କାହିଁକି ସୂଚନା ଦେଲେନି। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ହିଁ ରିଙ୍କୁର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ସେବାଶ୍ରମ ପ୍ରଧାନଶିକ୍ଷକ ଆଡଙ୍ଗା ସୁଦର୍ଶନ ଛାତ୍ରର ଚିକିତ୍ସାରେ ଅବହେଳା ହୋଇନଥିବା କହିଛନ୍ତି। ପରିବାର ଲୋକ ଜିଲ୍ଲାପାଳ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି କ୍ଷତିପୂରଣ ପ୍ରଦାନ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର