‌ହିଞ୍ଜିଳିକାଟୁ : ଖେଳରୁ କାଳ, ବ୍ୟାଟ୍ ପାହାରରେ ଛାତ୍ର ମୃତ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର କିଛି ଗ୍ରାମାଞ୍ଚଳରେ ଲକ୍‌ଡାଉନ୍ କଟକଣାକୁ ଗ୍ରାମବାସୀ କଡ଼ାକଡ଼ି ଭାବେ ପାଳନ କରୁ ନଥିବା ସହ କ୍ରିକେଟ୍ ଖେଳ, ଜୁଆ ଆଡ଼ା ଓ ମଦ ବେପାର ଖୋଲାଖୋଲି ଚାଲିଥିବା ଘଟଣା ସାମ୍ନାକୁ ଆସିଛି। ଆଜି କ୍ରିକେଟ ଖେଳକୁ କେନ୍ଦ୍ର କରି ହିଂସା ଉପୁଜିବା ସହ ଜଣେ ନାବାଳକର ଜୀବନ ଯାଇଛି। କ୍ରିକେଟ୍ ଖେଳରେ ସାମାନ୍ୟ କଳିରୁ ବ୍ୟାଟ୍ ପାହାରରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନ ଖରିଡ଼ା ଗ୍ରାମରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଛାତ୍ର ଜଣକ ହେଲେ, କେଶବ ସେଠୀଙ୍କ ପୁଅ ବିଭୂତି ସେଠୀ (୧୩)। ବିଭୂତି ଆମ୍ବଗାଁ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ।

ବିଭୂତି ଆଜି ସକାଳ ସାଢ଼େ ୭ଟାରେ ପୋଖରୀକୁ ଗାଧୋଇବାକୁ ଯାଉଛନ୍ତି କହି ଘରୁ ବାହାରିଥିଲେ। କିନ୍ତୁ ସେ କୁମୁଟି ତୋଟାରେ ଚାଲିଥିବା କ୍ରିକେଟ୍ ମ୍ୟାଚ୍ ‌ଦେଖିବାକୁ ପଳାଇଥିଲେ। ୧୦ରୁ ୧୫ଜଣ ପିଲା ସେଠାରେ ଖେଳୁଥିଲେ। ଏ ସମୟରେ ଜଣେ ପିଲା ସହ ସାମାନ୍ୟ କଥାକୁ ନେଇ ବିଭୂତିଙ୍କ ଯୁକ୍ତିତର୍କ ହୋଇଥିଲା। ସେ ଉତ୍‌କ୍ଷିପ୍ତ ହୋଇ ବ୍ୟାଟ୍ ଫାଳିଆରେ ବିଭୂତିଙ୍କ କାନମୁଣ୍ଡାକୁ ଶକ୍ତ ପ୍ରହାର ଦେଇଥିଲା। ବିଭୂତି ସେଠାରେ ହିଁ ଟଳି ପଡ଼ିଥିଲେ। ଗ୍ରାମବାସୀ ତାଙ୍କୁ ସଙ୍ଗେ ସଙ୍ଗେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ବିଭୂତିଙ୍କୁ ମୃତ ଘୋଷଣା କରା ଯାଇଥିଲା।

ବିଡିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ଗୋପୀନାଥ କୁଅଁର ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବିଭୂତିଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆଜି ଅପରାହ୍‌ଣ ୪ଟାରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏକମାତ୍ର ପୁଅକୁ ହରାଇଥିଲେ ହେଁ ଲକ୍‌ଡାଉନ୍ ଯୋଗୁଁ ସୁଦୂର ମୁମ୍ବାଇରେ ଫସି ରହିଥିବା ବାପା କେଶବ ଭାଙ୍ଗି ପଡ଼ିଛନ୍ତି। ସେ ଶେଷ ଥର ପାଇଁ ପୁଅକୁ ଦେଖି ମଧ୍ୟ କରିପାରିଲେନି ବୋଲି କାନ୍ଦି କାନ୍ଦି କହିଛନ୍ତି। ଏ ନେଇ କେସ୍ ନମ୍ବର ୧୧୩/୨୦ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗୋଟିଏ ପଟେ କଟକଣାକୁ କଡ଼ାକଡ଼ି ଲାଗୁ କରିବାକୁ ପ୍ରଶାସନ ଦିନରାତି ଏକ କରୁଥିବା ବେଳେ ଗ୍ରାମାଞ୍ଚଳବାସୀ ଏହାକୁ ଗୁରୁତ୍ବର ସହ ଗ୍ରହଣ କରୁନଥିବା ପ୍ରମାଣିତ ହୋଇଛି। ସେହିପରି ବିଦ୍ୟାଳୟ ଛୁଟି ଥିବାରୁ ପିଲାଙ୍କ ଉପରେ ନଜର ରଖିବା ଲାଗି ଅଭିଭାବକ ମାନେ ସଚେତନ ହେବା ଜରୁରୀ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର