ବକ୍ସଡ୍ରେନ୍‌ ପାଇପ୍ ତଳେ ଚାପିହୋଇ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ମେୟର, କମିସନରଙ୍କୁ ଘେରିଲେ ବିରୋଧୀ

୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କଲେ ମେୟର; ୨ ଯନ୍ତ୍ରୀ ନିଲମ୍ବିତ

କଟକ : ଗହ୍ମାଡିଆ ନିକଟରେ ଚାଲିଥିବା ବକ୍ସ ଡ୍ରେନ୍‌ ନିର୍ମାଣର ପାଣି ପାଇପ୍‌ ତଳେ ଚାପି ହୋଇ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ସହରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। କଂଗ୍ରେସ ଓ ବିଜେପି ପକ୍ଷରୁ ଧାରଣା, ବିକ୍ଷୋଭ ପ୍ରଦର୍ଶନ ସହିତ ଘଟଣାସ୍ଥଳରେ ମେୟର ସୁବାସ ସିଂହ ଓ କମିସନର ନିଖିଲ ପୱନ କଲ୍ୟାଣଙ୍କୁ ଘେରିବାକୁ ଉଦ୍ୟମ କରାଯାଇଛି। ମୃତ ଛାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ମେୟର ଓ କମିସନର ସେଠାରେ ପହଞ୍ଚି ଥିବା ବେଳେ କଂଗ୍ରେସ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ବରେ କଂଗ୍ରେସ କର୍ପୋରେଟର ଓ ନେତୃବୃନ୍ଦ ସେମାନଙ୍କୁ ବିରୋଧ କରିଥିଲେ। ସେହି ସମୟରେ କଥା କଟାକଟି, ଠେଲାପେଲା ସହିତ ଉତ୍ତେଜନା ସୃଷ୍ଟି ହୋଇଥିଲା। ଛାତ୍ରୀଙ୍କ ମୃତ୍ୟୁ ଘଟଣା ପାଇଁ ସଂପୂର୍ଣ୍ଣ ଭାବେ ମହାନଗର ନିଗମକୁ ଦାୟୀ କରିବା ସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବିଜେପି ପକ୍ଷରୁ ମଧ୍ୟ ଆଜି ଏହି ପ୍ରସଙ୍ଗରେ ମହାନଦୀବିହାର ୱାଟକୋ ଅଫିସ ସାମନାରେ ଧାରଣା ଦିଆଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ହଟଚମଟ ଚାଲିଥିବା ବେଳେ ମେୟରଙ୍କ ଅଧ୍ୟକ୍ଷତାରେ ସିଏମସିରେ ସବୁ ବିଭାଗର ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ସିଏମସି କମିସନରଙ୍କ ସମେତ ଜାଇକାର ଅଧିକାରୀ, ୱାଟ୍ କୋ ଅଧିକାରୀ, ସିଟି ଇଞ୍ଜିନିୟର, ଟ୍ରାଫିକ ଏସସିପି ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏଭଳି ଘଟଣା ଯେପରି ଆଗକୁ ନଘଟିବ ତାହା ଉପରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ପରେ ମେୟର ସୁବାସ ସିଂହ ଦେଇଥିବା ସୂଚନା ଅନୁଯାୟୀ ମୃତ ଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକଂପା ସହାୟତା
ପ୍ରଦାନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସହର ଭିତରେ ଯେଉଁଠି ସବୁ ପ୍ରକଳ୍ପ କାମ ଚାଲିଛି, ସେଠାରେ ସତର୍କ ସୂଚନା ସହିତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଖିଲାପ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସିଏମସିର ଦୁଇ ଜଣ ଇଂଜିନିୟରଙ୍କୁ କାର୍ଯ୍ୟରେ ଅବ​ହେଳା ପାଇଁ ନିଲମ୍ବିତ କରାଯାଇଛି। ସହକାରୀ ଯନ୍ତ୍ରୀ ସଂଜୀବ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା ନିର୍ଦ୍ଦେଶନାମା ଜାରି କରାଯାଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି, ତାହା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇ ନାହିଁ।

ଅନ୍ୟପଟେ ଆଜି ଟ୍ରାଫିକ ଏସିପି ସୁଶାନ୍ତ କୁମାର ସିଂହ ଗତକାଲିର ଛାତ୍ରୀ ମୃତ୍ୟୁ ଘଟଣାରେ ସଂପୂର୍ଣ୍ଣ ଭାବେ କାମ କରୁଥିବା ସଂସ୍ଥାକୁ ଦାୟୀ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ, ଗତକାଲିର ଘଟଣାରେ ଟ୍ରାଫିକ ପୁଲିସର କଣ ଭୂମିକା ଥିଲା ତାହା ଅନୁଧ୍ୟାନ କରାଯାଇଛି। କିନ୍ତୁ ଯେହେତୁ ଏହା ଏକ ଗଳି ରାସ୍ତା, ସେଠାରେ ସୁରକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଏଜେନସିର ଦାୟିତ୍ୱ। ଘଟଣାସ୍ଥଳରେ କୌଣସି ବ୍ୟାରିକେଡ କି ସୂଚନା ଫଳକ ଲଗାଯାଇ ନଥିଲା। ତେଣୁ ସମସ୍ତ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ କେଶରପୁର ନୂଆ ରାଉସାପାଟଣା ଅଞ୍ଚଳରେ ଗତକାଲି ଏହି ଅଘଟଣରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ଏନ୍‌. ମଇନୀ ଦାସଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର