ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ତଳି ଛକ ପାଲଟିଛି ମୃତ୍ୟୁ ଛକ। ଦୁର୍ଘଟଣା ହୋଇଛି ଏଠାରେ ସାଧାରଣ ଘଟଣା। ବାରଂବାର ଦୁର୍ଘଟଣା ଘଟୁଥିବା ଏହି ଛକରେ ଗଲାଣି ଅନେକ ଜୀବନ। ଆଜି ପୁଣି ଜଣେ ହାଇସ୍କୁଲ ଛାତ୍ରୀଙ୍କ ଜୀବନ ଯାଇଛି। ଏଠା‌ରେ ଫ୍ଲାଇଓଭର ନିର୍ମାଣ କରିବାକୁ ବହୁ ବର୍ଷରୁ ଦାବି ହେଉଥିବା ବେଳେ ସରକାରଙ୍କ ନିରବତା ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ସକାଳ ୯ଟା ୧୫ରେ ଭାଲୁପାଲି ନିବାସୀ ପ୍ରଜ୍ଞା ପାରମିତା ପାଣିଗ୍ରାହୀ ସାଇକଲ୍ ଯୋଗେ ବୁଢ଼ାରଜା ହାଇସ୍କୁଲକୁ ଆସୁଥିଲା। ନବମ ଶ୍ରେଣୀ‌‌ରେ ଅଧ୍ୟୟନ କରୁଥିବା ପ୍ରଜ୍ଞା ଆସୁଥିବା ସମୟରେ ଅଇଁଠାପାଲି ତଳି ଛକ(ବୀର ବିର୍ସା ମୁଣ୍ଡା ଛକ)ରେ ସମାନ ଦିଗରୁ ଆସୁଥିବା ଏକ ହାଇୱା(ଓଡ଼ି୦୨ବିଇ-୧୬୬୦) ଚକା ତଳେ ଚାପି ହୋଇଯାଇଥିଲେ। ହାଇୱାଟି ଝାରସୁଗୁଡ଼ା ପଟୁ ଦେବଗଡ଼ ଆଡ଼କୁ ଯିବା ପାଇଁ ଗାଡ଼ି ବୁଲାଇବା ସମୟରେ ଏହାର ଏକ ଚକା ତଳେ ପ୍ରଜ୍ଞାଙ୍କ ସାଇକଲ୍ ଲାଗି ଯାଇଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ପ୍ରଜ୍ଞାଙ୍କ ଜୀବନ ଚାଲି ଯାଇଥିଲା। ହାଇୱା ଚାଳକ ମନ୍‌ସୁର ଅଂସାରି ଦୁର୍ଘଟଣା ପରେ ଗାଡ଼ିକୁ ଘଟଣାସ୍ଥଳରେ ଛାଡ଼ି ଅଇଁଠାପାଲି ଥାନାକୁ ଯାଇ ଆତ୍ମ ସମର୍ପଣ କରିଥିଲା। ଏହି ମାମଲାରେ ପୁଲିସ ଗାଡ଼ିଚାଳକ ଝାଡ଼ଖଣ୍ଡର ଜୟନଗର ନିବାସୀ ମନ୍‌ସୁର ଅଂସାରିକୁ ଗିରଫ କରିଛି।

ଏହି ଘଟଣା ଜଣାପଡ଼ିବା ପରେ ଅଭିଭାବକ ସେଠାରେ ପହଂଚି ତୁରନ୍ତ ଫ୍ଲାଇଓଭର ନିର୍ମାଣ ପାଇଁ ଦାବି କରିଥିଲେ। ଅପରପକ୍ଷରେ ଅଇଁଠାପାଲି ପୁଲିସ ଶବ ଉଦ୍ଧାରକର ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏବୁଢ଼ାରଜା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୁମିତା ପତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଜ୍ଞାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଶୋକସଭା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୁରଲୀଧର ବେହେରା, ବୁଢ଼ାରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁମିତା ପତ୍ରୀ, ବରିଷ୍ଠ ଶିକ୍ଷକ ହରି ନାରାୟଣ ପଣ୍ଡା, ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଭୁଦତ୍ତ ସାହୁ ପ୍ରମୁଖ ବୁର୍ଲା ଶବ ବ୍ୟବଚ୍ଛେଦ କେନ୍ଦ୍ର ଏବଂ ସେଠାରୁ ପ୍ରଜ୍ଞାଙ୍କ ଘରକୁ ଯିବା ସହିତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।