କଲେଜ ହଷ୍ଟେଲରୁ ଛାତ୍ରୀ ମୃତ୍ୟୁ ଘଟଣାରେ ଭିନ୍ନମୋଡ଼: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

କାଳିଆପାଣି : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଚଣ୍ଡିଖୋଲ ସୁଙ୍ଗୁଡ଼ାସ୍ଥିତ ଜିଆଇଇଟି କଲେଜ୍ ଛାତ୍ରୀ ସ୍ମୃତିଶ୍ରୀ ଦାସ(ଟ୍ବିଙ୍କଲ୍‌)ଙ୍କ ମୃତ୍ୟୁ ମାମଲାରେ ପୁଲିସ ତଦନ୍ତରେ ଶିଥିଳତା ଓ ଏଯାବତ୍ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ’ନିଆଯିବା ପ୍ରସଙ୍ଗରେ ଗୃହ ବିଭାଗ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମାନବାଧିକାର କର୍ମୀ ଭଜମନ ବିଶ୍ବାଳଙ୍କ ଅଭିଯୋଗ ଉପରେ ବିଚାରକରି ବିଭାଗ ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଓ ଆଇଜି କଟକ ଏବଂ ମାନବାଧିକାର କମିସନ ଅତିରିକ୍ତ ପୁଲିସ ମହାନିର୍ଦେଶକ(ଏଡିଜି)ଙ୍କୁ (ଚିଠି ନଂ ୩୦୭୦୩/୯-୯-୨୦୨୨ ଓ ଅନ୍ୟ ଏକ ଚିଠି ନଂ ୩୦୪୯୯/୮-୯-୨୦୨୨) ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ନିର୍ଦ୍ଦେଶ ପରେ ବଡ଼ଚଣା ପୁଲିସ ଅଡ଼ୁଆରେ ପଡ଼ିଥିବା କୁହାଯାଉଛି। ଅନ୍ୟପକ୍ଷରେ, ବିଳମ୍ବରେ ହେଉପଛେ ଝିଅର ମୃତ୍ୟୁ ପାଇଁ ଦାୟୀ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବାଟ ଫିଟିଥିବା ଜାଣି ମୃତ ଛାତ୍ରୀଙ୍କ ବାପାମାଆ ମଧୁସ୍ମିତା ଓ ରବୀନ୍ଦ୍ର ଦାସ ଖୁସି ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୩ ତାରିଖ ଚଣ୍ଡିଖୋଲ ଜିଆଇଇଟି କଲେଜ୍ ହଷ୍ଟେଲରୁ କାଳିଆପାଣି ଥାନା ସଂଲଗ୍ନ ବିଜିଆର୍ କଲୋନିର +୨ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସ୍ମୃତିଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ସ୍ମୃତିଶ୍ରୀଙ୍କ ମୃତ୍ୟୁକୁ ୧୦ ମାସ ପୂରିଥିଲେ ମଧ୍ୟ ତାଙ୍କ ପରବାର ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଅଭିଯୁକ୍ତ ତାଲିକାରେ ନାଁ ଥିବା ୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍‌ ଜଣେ ହେଲେ ବି ଗିରଫ ହୋଇନାହାନ୍ତି। ପୁଲିସ ନିଷ୍କ୍ରିୟତା ନେଇ ମୃତକଙ୍କ ପରିବାର, ସଂପର୍କୀୟ ଓ ସହପାଠୀଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଦିନ ଉକ୍ତ ହଷ୍ଟେଲ କୋଠରୀ ମଧ୍ୟରୁ ସ୍ମୃତିଶ୍ରୀଙ୍କର ସୁଇସାଇଡାଲ୍‌ ନୋଟ୍‌ ଜବତ ହୋଇଥିଲା। ଏଥିରେ ସେ ତାଙ୍କ ମୃତ୍ୟୁ ପାଇଁ ସେ ଶିକ୍ଷକ, ସହପାଠୀ, ୱ‌ାର୍ଡେନଙ୍କୁ ଦାୟୀ କରିଥିଲେ। ଅଭିଯୁକ୍ତମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ରାଗିଂ କରି ଆସୁଥିଲେ ବୋଲି ସ୍ମୃତିଶ୍ରୀ ଉଲ୍ଲେଖ କରିଥିଲେ। ଝିଅର ମୃତ୍ୟୁ ପ‌ାଇଁ ମୁଦୁଲି ସାର, ଶଶୀକାନ୍ତ ସାର, ଶୁଭ, ରାଜଲକ୍ଷ୍ମୀ ପ୍ରଧାନ, କଳାଶ୍ରୀ ଦାସ ଓ ନିର୍ମଳା ସାହୁ ଦାୟୀ ବୋଲି ଅଭିଯୋଗ ଆଣି ସେଦିନ ମୃତ ଛାତ୍ରୀଙ୍କ ମାଆ ମଧୁସ୍ମିତା ଥାନାରେ ଏତଲା ଦେଇଥିଲେ।‌ ଏ ସଂକ୍ରାନ୍ତରେ ଥାନାରେ ଆଇପିସି ଦଫା ୩୦୨/୩୪ ଆଧାରରେ ଏକ କେସ ୪୧୯/୨୦୨୧ ରୁଜୁ ହୋଇଥିଲା। କିନ୍ତୁ ଏବେ ବି ସେମାନେ ନ୍ୟାୟ ଅପେକ୍ଷାରେ ଅଛନ୍ତି ବୋଲି ଦାସ ଦମ୍ପତି କହନ୍ତି।

ସମ୍ବନ୍ଧିତ ଖବର