ରାଜକନିକା : ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର, ବର୍ତ୍ତିଗଲେ ବଞ୍ଚାଇବାକୁ ଉଦ୍ୟମ କରିଥିବା ଯୁବକ

୬ ଘଣ୍ଟା ପରେ ମିଳିଲା ଶବ

ରାଜକନିକା : ରାଜକକନିକ‌ା ବ୍ଲକ୍‌ ବରୁଣା ପଞ୍ଚାୟତ ପାରିମୁକୁନ୍ଦପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣରେ ଜଣେ ଛାତ୍ରଙ୍କ ଜୀବନ ଯାଇଛି। କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିବାବେଳେ ମୃତଦେହ ଦୀର୍ଘ ୬ ଘଣ୍ଟା ପରେ ଠାବ କରାଯାଇଛି। ତାଙ୍କୁ କୁମ୍ଭୀର କବଳରୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦଶମ ଶ୍ରେଣୀରେ ପଢୁଥିବା ପାରିମୁକୁନ୍ଦପୁର ରୁଦ୍ରନାରାୟଣ ବେହେରା(୧୬)ଆଜି ଦିନ ପ୍ରାୟ ୨ଟା ବେଳେ ୩ ଯୁବକଙ୍କ ସହ ଖରସ୍ରୋତା ନଦୀରେ ଗାଧୋଉଥିଲେ। ଏହି ସମୟରେ ଏକ କୁମ୍ଭୀର ସେମାନଙ୍କୁ ଆକ୍ରମଣ କରି ରୁଦ୍ରଙ୍କୁ ପାଣି ଭିତରକୁ ଝାମ୍ପି ନେଇଥିଲା। ରୁଦ୍ରଙ୍କୁ ବଞ୍ଚାଇବା ପାଇଁ ତାଙ୍କ ସହ ଥିବା ତିନି ଯୁବକଙ୍କ ମଧ୍ୟରୁ ଲିପନ ବେହେରା ପାଣିକୁ ଡେଇଁ ପଡ଼ିଥିଲେ। କୁମ୍ଭୀରଟି ତାଙ୍କୁ ଲାଙ୍ଗୁଡ଼ରେ ଆକ୍ରମଣ କରିଥିଲା। ସେଠାରେ ଥିବା ଅନ୍ୟ ଦୁଇ ଯୁବକ ଲିପନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ରୁଦ୍ରଙ୍କୁ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୭ଟା ବେଳେ ତାଙ୍କ ମୃତଦେହ ନଦୀରୁ ମିଳିଥିଲା।

ଖବରପାଇ ରାଜକନିକା ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି, ପବିତ୍ର ରାଉତ ଓ ବସନ୍ତ ନାୟକ ପ୍ରମୁଖ ମୃତ ଛାତ୍ରଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର