ସମ୍ବଲପୁର: ଡେଂଗୁରେ ଜଣେ କଲେଜ ଛାତ୍ରଙ୍କ ଜୀବନ ଯାଇଛି। ଛାତ୍ର ଜଣକ ହେଲେ ଏନ୍ଏସ୍ସିବି କଲେଜରେ ଅଧ୍ୟୟନ କରୁଥିବା ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ମହମ୍ମଦ ସମି। ବିଜେଡି ନେତା ମହମ୍ମଦ ସନାଉଲ୍ଲାଙ୍କ ପୁଅ ମହମ୍ମଦ ସମି କିଛିଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଂଗେ ସଂଗେ ସହରର ଜଣେ ପ୍ରତିଷ୍ଠିତ ଘରୋଇ ଡାକ୍ତରଙ୍କ କ୍ଲିନିକକୁ ନିଆଯାଇଥିଲା। ଘରେ ରହି କିଛି ଦିନ ଚିକିତ୍ସା କରିବା ପରେ ବି ସ୍ବାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରିବାର ଲୋକେ ପରାମର୍ଶ କରିଥିଲେ।
ସଂପୃକ୍ତ ଡାକ୍ତର ସଂଗେସଂଗେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ତେବେ, ଉତ୍ତମ ଚିକିତ୍ସା ଆଶାରେ ସେମାନେ ସହରର ଏକ ବଡ଼ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାକାର ଡାକ୍ତର କିନ୍ତୁ ଅନ୍ୟ କୌଣସି ବଡ଼ ହସ୍ପିଟାଲକୁ ନେବା ପାଇଁ ପରମର୍ଶ ଦେଇଥିଲେ। ଏଭଳି ସ୍ଥିତିରେ ତାଙ୍କୁ ଭୁବନେଶ୍ବର କିମ୍ସ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଭର୍ତ୍ତି କରିବାର ଦ୍ବିତୀୟ ଦିନ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେଠାକାର ଡାକ୍ତର ଡେଂଗୁ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଇଛନ୍ତି। ସମ୍ବଲପୁରରେ ଆରମ୍ଭରୁ ତାଙ୍କୁ ଜଣ୍ଡିସ ହୋଇଥିବା ଚିକିତ୍ସା କରାଯାଇଥିଲା। ତେବେ, ଭୁବନେଶ୍ବରକୁ ନିଆଯିବା ପରେ ସେଠାରେ ମହମ୍ମଦ ସମି ଡେଂଗୁରେ ଆକ୍ରାନ୍ତ ହୋଇଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ।
ଏଥି ସହିତ ତାଙ୍କର ଲିଭର୍ ଓ ଅନ୍ୟ କେତେକ ଅଂଗ ମଧ୍ୟ ଖରାପ ହୋଇଯାଇଥିବା ରିପୋର୍ଟରେ ଦର୍ଶାଯାଇଥିବା ସମିଙ୍କ ପିତା ମହମ୍ମଦ ସନାଉଲ୍ଲା କହିଛନ୍ତି। ସମ୍ବଲପୁରରେ ଲୋକେ ଡେଂଗୁରେ ଆକ୍ରାନ୍ତ ହୋଇଥିବା ବେଳେ ମହାନଗର ନିଗମ କିନ୍ତୁ ବେଫିକର ରହିଛି। ସହରର ପରିମଳ ବ୍ୟବସ୍ଥା ବିଯର୍ପ୍ୟସ୍ତ ହୋଇପଡ଼ିଛି। ଠିକ୍ ଭାବେ ସଫେଇ ହେଉନାହିଁ। ଆର୍ଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ସହରର ସଫେଇ ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସତ୍ତ୍ବେ ନୂଆ ଟେଣ୍ଡର ନଡାକି ମହାନଗର ନିଗମ ପ୍ରଶାସନ କାର୍ଯ୍ୟ ଅବଧି ସରିବା ପରେ ବି ଏକ ନିର୍ଦ୍ଦିଷ୍ଟ ସଂସ୍ଥା ପ୍ରତି ଅନୁକମ୍ପା ପ୍ରଦର୍ଶନ କରିଆସୁଛି। ଶୀଘ୍ର ଉପଯୁକ୍ତ ପଦକ୍ଷେପ ନିଆନଗଲେ ଆଉ ଯଦି ଡେଂଗୁ ବ୍ୟାପିଲେ, ସେଥି ପାଇଁ କିଏ ଦାୟୀ ହେବ ବୋଲି ସଚେତନ ନାଗରିକମାନେ ପ୍ରଶ୍ନ କଲେଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/24-14.jpg)