ପ୍ରଧାନପାଟ ଜଳପ୍ରପାତ କୁଣ୍ଡରେ ଖସି ଫାର୍ମାସି ଛାତ୍ର ମୃତ

ଦେବଗଡ଼ : ପ୍ରଧାନପାଟ ଜଳପ୍ରପାତର ଖସି ଜଣେ ଫାର୍ମାସୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୌରାଞ୍ଚଳର ମଠସାହିର ସ୍ୱର୍ଗତ କ୍ରିଷ୍ଣା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ (୨୩)। ସେ ଆହ୍ଲାବାଦର ଏସ୍‌ଏଚ୍‌ୟୁଏଟିଏସ୍‌ରେ ପ୍ରଥମ ବର୍ଷ ବି. ଫାର୍ମା ଛାତ୍ର ଥିଲେ। କରୋନା ଲକ୍‌ଡାଉନ୍‌ ଯୋଗୁଁ ଶୁଭମ ଦେବଗଡ଼ ନିଜ ଘରକୁ ଫେରିଥିଲେ। ଗୁରୁବାର ସକାଳେ ଶୁଭମ ଘରୁ ବାହାରକୁ ଯାଇଥିଲେ। ‌ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଏଣେ ତେଣେ ‌ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ପରିବାର ଲୋକ ଏନେଇ ଦେବଗଡ଼ ଥାନାରେ ନିଖୋଜ ଥିବା ଲିଖିତ ଅଭିଯୋଗ କରିଥିଲେ। ଜଣେ ବନ୍ଧୁଙ୍କ ସହିତ ଶୁଭମ ଗୁରୁବାର ସକାଳେ କଥାବାର୍ତ୍ତା ହୋଇଥିଲେ। ଘରୁ ପ୍ରଧାନପାଟ ଝରଣା ଉପରକୁ ବୁଲିବାକୁ ଯାଇଥିବାବେଳେ ଝରଣାର ପ୍ରଥମ କୁଣ୍ଡ ନିକଟରୁ ବିଭିନ୍ନ ଫଟୋ ଉଠାଇ ତାଙ୍କର ବନ୍ଧୁ ନିକଟକୁ ପଠାଇଥିବା ଜଣାପଡ଼ିଥିଲା। ପରେ ଶୁଭମ ପ୍ରଧାନପାଟ ଝରଣା ଯାଇଥିବା ଆଶଙ୍କା କରି ଶୁକ୍ରବାର ସକାଳେ ପରିବାର ଲୋକେ ଝରଣାର ଉପରେ ଥିବା କୁଣ୍ଡ ନିକଟରେ ଖୋଜାଖୋଜି କରିଥିଲେ। ଏହି ସମୟରେ ଶୁଭମର ଚପଲ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ପରେ ଗଭୀର କୁଣ୍ଡ ମଧ୍ୟରୁ ଶୁଭମଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ଶୁଭମଙ୍କ ମୋବାଇଲ ଫୋନ ତାଙ୍କ ପକେଟ୍‌ରେ ଥିବାବେଳେ ଚଷମା ହାତ ମୁଠାରେ ଧରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର