ଚମ୍ପୁଆ: କେନ୍ଦୁଝରଜିଲ୍ଲା ଚମ୍ପୁଆସ୍ଥିତ କେରଳା ଇଂରାଜୀ ମାଧ୍ୟମ ସ୍କୁଲର ଚାରି ମହଲା ହଷ୍ଟେଲ କୋଠାରୁ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଝାଡ଼ଖଣ୍ଡ ଷଢ଼େଇକଳା-ଖରସୁଆଁ ଜିଲ୍ଲା ଆମଦା ଥାନା କୁଚା ଗ୍ରାମର ସୁଧାଂଶୁ ପ୍ରଧାନଙ୍କ ପୁଅ କ୍ରିଷ୍ଣା ପ୍ରଧାନ (୧୬)। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। କେସ୍‌ ନମ୍ବର ୧୮୭/୨୫ରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ମୃତ ଛାତ୍ରଙ୍କ ସମ୍ପର୍କୀୟମାନେ ବିଦ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି।

Advertisment

କ୍ରିଷ୍ଣା କେରଳା ଇଂରାଜୀ ମାଧ୍ୟମ ସ୍କୁଲର ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପଢ଼ୁଥିଲେ। ଆଜି ଭୋର୍‌ ୫ଟାବେଳେ ସେ ହଷ୍ଟେଲର ୪ ମହଲା ଉପରୁ ପଡ଼ିଯାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ନେଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଖବର ପାଇ ଚମ୍ପୁଆ ଉପଜିଲ୍ଲାପାଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଆଜି ସକାଳେ ସ୍କୁଲ କର୍ତ୍ତୃପକ୍ଷ ମୃତ କ୍ରିଷ୍ଣାଙ୍କ ବାପା ସୁଧାଂଶୁ ପ୍ରଧାନଙ୍କୁ ଫୋନ୍‌ କରି ପୁଅର ଅବସ୍ଥା ଗୁରୁତର ରହିଛି, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଥିଲେ। ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସେଠାରେ ପୁଅର ମୃତଦେହ ଥିବା ଦେଖିବାକୁ ପାଇଥିଲେ। କ୍ରିଷ୍ଣାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା

ବାପା ସୁଧାଂଶୁ ଏତଲାରେ ଉଲ୍ଲେଖ କରିଛନ୍ତି। ଏହାକୁ କେନ୍ଦ୍ର କରି ମୃତକଙ୍କ ସମ୍ପର୍କୀୟମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିବା ସହ ମୃତଦେହ ବ୍ୟବଚ୍ଛେଦ କରିବାକୁ ଦେଇନାହାନ୍ତି। ମୃତଦେହକୁ ସ୍କୁଲ ସମ୍ମୁଖରେ ରଖି ପ୍ରତିବାଦ କରିଛନ୍ତି। କ୍ରିଷ୍ଣାର ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଦାୟୀ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ପାଇଁ ବିଦ୍ୟାଳୟକୁ ଯାଇଥିବା ବେଳେ ହଷ୍ଟେଲ ଉପରମହଲାରୁ ଏକ କାଗଜ ପକା ଯାଇଥିଲା। ଗତକାଲି ରାତିରେ ହଷ୍ଟେଲର ୧୨ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମରାଯିବା ସହ ଆଉ କିଛି ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଥିଲା। ଏଥିପାଇଁ ଛାତ୍ର ଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଉକ୍ତ କାଗଜରେ ଉଲ୍ଲେଖ ରହିଛି। ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଭାରତୀଙ୍କୁ ପଚାରିବାରୁ ସେ କହିଛନ୍ତି, ଆଜି ସକାଳେ ସେ ଏହି ଖବର ପାଇଥିଲେ। ତୁରନ୍ତ ଛାତ୍ରଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତାଙ୍କୁ ମାଡ଼ ମରାଯାଇନି କି ନିର୍ଯାତନା ଦିଆଯାଇନି। ଚମ୍ପୁଆ ଥାନା ଅଧିକାରୀ ରମାକାନ୍ତ ମୁଦୁଲି କହିଛନ୍ତି, କ୍ରିଷ୍ଣାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।