ସମ୍ବଲପୁର: ଟାଉନ୍‌ ଥାନା ଅଧୀନ ଲକ୍ଷ୍ମୀଟକିଜ୍‌ ନିକଟରେ ଫ୍ଲାଇଓଭର୍‌ରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ହେଲେ ସର୍‌ଲାକାନିର କ୍ଲିପର୍‌ କୁଜୁର। ସେ ଏକ ଘରୋଇ ସ୍କୁଲ୍‌ରେ ୧୦ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଶୁକ୍ରବାର ସ୍କୁଲ୍‌ ଶେଷ ହେବା ପରେ ଫ୍ଲାଇଓଭର୍‌କୁ ଆସିଥିଲେ। ତେବେ ଅପରାହ୍ଣ ସାଢେ ୨ଟା ସମୟରେ ସେ ଫ୍ଲାଇଓଭର୍‌ରୁ ପଡ଼ିଯାଇଥିଲେ। ସେଠାରେ ଥିବା ପୁଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହା ପୂର୍ବରୁ କିଛି ଯୁବକ ବିପଦପୂର୍ଣ୍ଣ ଅବସ୍ଥାରେ ସେଲ୍‌ଫି ନେଉଥିବା ବେଳର ଫଟୋ ଭାଇରାଲ୍‌ ହୋଇଥିଲା। ସେହି ଲକ୍ଷ୍ମୀଟକିଜ୍‌ ଛକ ଉପରେ ଫ୍ଲାଇଓଭର୍‌ରେ ଚଢ଼ି ଫଟୋ ଉଠାଯାଉଥିବାର ଫଟୋକୁ ନେଇ ଖବର ପ୍ରକାଶ ମଧ୍ୟ ପାଇଥିଲା। ଫ୍ଲାଇଓଭର୍‌କୁ ସେଲ୍‌ଫି ପଏଣ୍ଟ ପାଲଟି ଯାଇଛି। ବିପଦସଙ୍କୁଳ ଭାବେ ବିଭିନ୍ନ ସ୍ଥାନରେ ଚଢ଼ି ଫଟୋ ଉଠାଇଛନ୍ତି। ଏ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ତା ପରେ ମଧ୍ୟ ନା ସମ୍ବଲପୁର ପୁଲିସ ନା ଜିଲ୍ଲା ପ୍ରଶାସନ, କେହିବି ଏହାକୁ ଗୁରୁତ୍ବ ସହ ନେଇ ନଥିଲା। ଯେଉଁ କାରଣରୁ ଶୁକ୍ରବାର ଏକ ଅଘଟଣ ଘଟିଗଲା। ଛାତ୍ରଟି ଫ୍ଲାଇଓଭର୍‌ରୁ ପଡ଼ି ମୃତ୍ୟୁବରଣ କରିବା ପରେ ପୁଣିଥରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପଟେ ଫ୍ଲାଇଓଭର୍‌ରେ ୨ ପାର୍ଶ୍ବରେ ସାଇଡ୍‌ଵାଲ୍‌ ଲଗାଇବାକୁ ସାଧାରଣରେ ଦାବି ହୋଇଛି।