ରାଉରକେଲା: ରେଳପୋଲ ଉପରେ ସାଙ୍ଗମାନଙ୍କ ସହ ରିଲ୍ସ କରିବା କାଳ ହୋଇଛି। ରେଳପୋଲ ତଳ କୋଏଲ ନଦୀକୁ ଖସିପଡ଼ି ଜଣେ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ସାଙ୍ଗ ବର୍ତ୍ତିଯାଇଛନ୍ତି। ମୃତକ ହେଲେ ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡାର ସ୍ବାଧୀନ ଓରାମ (୧୯)। ଅନ୍ୟ ତିନି ସାଙ୍ଗ ହେଲେ ସମ୍ବଲପୁର ମହୁଲପାଲିର ପିଣ୍ଟୁ ବନ୍ଛୋର (୧୯), ମଧୁସୂଦନପାଲିର ତରୁଣ କୁମାର ଦାସ (୧୮), ରାଉରକେଲା ସେକ୍ଟର-୨୧ ନନ୍ଦପନାର ରୁଦ୍ରାକ୍ଷ ଛୋରା (୧୮)। ଏମାନେ ସମସ୍ତେ ରାଉରକେଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ଆଇଟିଆଇ ଛାତ୍ର।
ବର୍ତ୍ତିଲେ ଅନ୍ୟ ତିନି ସାଙ୍ଗ
ମିଳିଥିବା ସୂଚନା ମୁତାବକ ସ୍ବାଧୀନ, ପିଣ୍ଟୁ, ରୁଦ୍ରାକ୍ଷ ଓ ତରୁଣ ଆଇଟିଆଇ ପଢ଼ୁଛନ୍ତି। ସେହି ଶିକ୍ଷାନୁଷ୍ଠାନର ହଷ୍ଟେଲରେ ସ୍ବାଧୀନ ଓ ପିଣ୍ଟୁ ରହୁଥିଲେ। ତରୁଣ ଓ ରୁଦ୍ରାକ୍ଷଙ୍କ ଘର ରାଉରକେଲାରେ ହୋଇଥିବାରୁ ସେମାନେ ଘରୁ ଯିବାଆସିବା କରୁଥିଲେ। ଆଜି ରବିବାର ଛୁଟି ଥିବାରୁ ଅପରାହ୍ଣ ପ୍ରାୟ ୩ଟାରେ ତରୁଣ ଓ ରୁଦ୍ରାକ୍ଷଙ୍କ ସ୍କୁଟିରେ ସ୍ବାଧୀନ, ପିଣ୍ଟୁ ଆଇଟିଆଇଠୁ ପ୍ରାୟ ୮ କିମି ଦୂର ପ୍ରଧାନପାଲି ରେଳପୋଲ ନିକଟସ୍ଥ କୋଏଲ ନଦୀକୁ ଆସିଥିଲେ। ରେଳପୋଲ ଉପରେ ଚଢ଼ି ରିଲ୍ସ କରୁଥିଲେ। ସ୍ବାଧୀନ ପୋଲ ପିଲ୍ର ଉପରେ ଚଢ଼ି ନାଚିବାବେଳେ ଅନ୍ୟ ସାଙ୍ଗମାନେ ମଧ୍ୟ ମୋବାଇଲରେ ରିଲ୍ସ କରୁଥିଲେ।
ହଠାତ୍ ଗୋଡ଼ ଖସିଯିବାରୁ ସ୍ବାଧୀନ ପିଲର୍ରେ ପିଟି ହୋଇ ପ୍ରାୟ ୫୦ଫୁଟ୍ ତଳ କୋଏଲ ନଦୀକୁ ଖସିପଡ଼ି ଭାସି ଯାଇଥିଲେ। ରେଳ ପୋଲ ଉପରେ ସୁଟିଂ କରୁଥିବା ଅନ୍ୟ ତିନି ସାଙ୍ଗ ପାଟି କରିବାରୁ ସ୍ଥାନୀୟ ଲୋକ ପହଞ୍ଚି ସ୍ବାଧୀନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। ଅଗ୍ନିଶମ କର୍ମଚାରୀ, ଛେଣ୍ଡ ପୁଲିସ ପହଞ୍ଚି ପ୍ରାୟ ୨ ଘଣ୍ଟା ଖୋଜାଖୋଜି ପରେ ସ୍ବାଧୀନଙ୍କ ମୃତଦେହ ଉଦ୍ଧାର କରିଥିଲେ। କେବଳ କୋଏଲ ନଦୀ ନୁହେଁ, ବ୍ରାହ୍ମଣୀ ଓ ଶଙ୍ଖ ନଦୀରେ ସେଲ୍ଫି ଉଠାଇବା, ରିଲ୍ସ କରିବା ସହ ପାଣିରେ ମଜା ଉଠାଉଥିବାବେଳେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଛି।
କାଠଯୋଡ଼ିରେ ବୁଡ଼ିଗଲେ ୨ଇଞ୍ଜିନିୟର; ଜଣେ ମୃତ, ଜଣେ ନିଖୋଜ
କଟକ: କଟକ ମର୍କତନଗର ଫେଜ୍-୨ ଥାନା ସେକ୍ଟର-୧୧ ଅନ୍ତର୍ଗତ କାଠଯୋଡ଼ି ନଦୀରେ ୨ଜଣ ଯୁବ ଇଞ୍ଜିନିୟର ବୁଡ଼ିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। ମୃତ ଇଞ୍ଜିନିୟର ଜଣକ ହେଉଛନ୍ତି ଋତିକେଶ ମଟଲ୍(୨୫)। ତାଙ୍କ ଘର ମହାରାଷ୍ଟ୍ରରେ। ନିଖୋଜ ରହିଥିବା ଇଞ୍ଜିନିୟର ହେଉଛନ୍ତି ଋତିକ୍ ବ୍ରିଜିନୀ(୨୮)। ଏମାନେ ଏଲ୍ଆଣ୍ଡ୍ଟି କମ୍ପାନିରେ ଇଞ୍ଜିନିୟର ଭାବେ ନିୟୋଜିତ ରହି ଏସ୍ସିବି ମେଡିକାଲ୍ କୋଠା ନିର୍ମାଣ ଦାୟିତ୍ୱରେ ରହିଥିଲେ।
ସୂଚନା ଅନୁସାରେ, ଆଜି ରବିବାର ଥିବାରୁ ଏସ୍ସିବିରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ସିଡିଏ ସେକ୍ଟର-୧୧ରେ ଏଲ୍ଆଣ୍ଡ୍ଟି କମ୍ପାନିର ଇଞ୍ଜିନିୟର ଏବଂ ଉଚ୍ଚପଦସ୍ଥ କର୍ମଚାରୀ ରହିବା ନିମନ୍ତେ ମେସ୍ ବ୍ୟବସ୍ଥା ରହିଛି। ଏହି ମେସ୍ରେ ଇଞ୍ଜିନିୟର ଋତିକେଶ, ଋତିକ୍ଙ୍କ ସମେତ ଅନ୍ୟ କର୍ମଚାରୀମାନେ ରୁହନ୍ତି। ଛୁଟିଦିନ ଥିବାରୁ ୨ ଇଞ୍ଜିନିୟରଙ୍କ ସହିତ ଆଉ ୨କର୍ମଚାରୀ ଭୋଜିଭାତ କରିଥିଲେ। ପରେ ଗାଧୋଇବା ପାଇଁ କାଠଯୋଡ଼ି ନଦୀକୂଳକୁ ଆସିଥିଲେ। ସେଠାରେ ନିଜ ନିଜ ଭିତରେ ସନ୍ତରଣ ପ୍ରତିଯୋଗିତା କରିଥିଲେ। ହେଲେ, ୪ ସାଙ୍ଗଙ୍କୁ ପହଁରା ଜଣା ନ ଥିଲା। ପ୍ରଥମେ ଋତିକେଶ ନଦୀ ମଧ୍ୟକୁ ଡେଇଁ କୂଳରେ ପହଁରିବାକୁ ଚେଷ୍ଟା କରିଥିଲେ। ତାଙ୍କ ସହିତ ଋତିକ୍ ମଧ୍ୟ ପହଁରିଥିଲେ।
ତେବେ କିଛି ସମୟ ମଧ୍ୟରେ ୨ବନ୍ଧୁ ନଦୀ ମଝିକୁ ଚାଲି ଯାଇଥିଲେ। ପହଁରା ଜଣା ନଥିବାରୁ ଋତିକ୍ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଋତିକେଶ ନଦୀ ମଝିକୁ ଚାଲିଯାଇଥିଲେ। ଏହାପରେ ୨ଜଣ ବୁଡ଼ି ଯାଇଥିଲେ। କୂଳରେ ଥିବା ସେମାନଙ୍କ ୨ ସାଙ୍ଗ ଫେଜ୍-୨ ଥାନା ଓ ବିଡ଼ାନାସୀ ଅଗ୍ନିଶମ କାର୍ଯ୍ୟାଳୟକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିବା ପରେ ଋତିକେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷରେ ସନ୍ଧ୍ୟା ପର୍ଯ୍ୟନ୍ତ ଋତିକ୍ଙ୍କ ପତ୍ତା ମିଳିନଥିଲା। ଅନ୍ଧାର ହୋଇଯିବାରୁ ଖୋଜାଖୋଜି କାର୍ଯ୍ୟ ବନ୍ଦ ରଖାଯାଇଥିବା ସୂଚନା ମିଳିଛି। ଋତିକେଶଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଏସ୍ସିବି ମେଡିକାଲ ପଠାଯାଇଛି। ଏ ସମ୍ପର୍କରେ ବିଡ଼ାନାସୀ ଅଗ୍ନିଶମ କେନ୍ଦ୍ରର ଫାୟାର୍ ଅଫିସର ପୁଲକ୍ ଲେଙ୍କା କହିଛନ୍ତି, ଘଟଣାସ୍ଥଳରେ ପାଣିର ସ୍ରୋତ ପ୍ରଖର ରହିଥିଲା। ୨ ଇଞ୍ଜିନିୟର୍ ପହଁରା ଜାଣି ନ ଥିଲେ। ଯେଉଁଥି ପାଇଁ ଏଭଳି ଅଘଟଣ ଘଟିଲା।