ରୁବେଲା ଟିକା ନେଇ ଛାତ୍ରଙ୍କ ମୃତ୍ୟୁ!

କୁଜଙ୍ଗ : ରୁବେଲା ଟୀକା ନେଇ ଜଗତ୍‌ସିଂହପୁର ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ହେଉଛନ୍ତି ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ଭଁଅରକୋଲା ଗ୍ରାମର ଶିବଚରଣ ମୁଦୁଲିଙ୍କ ପୁତ୍ର ପ୍ରୟାସ। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇବା ସହିତ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଥିଲେ। ତଦନ୍ତ ପାଇଁ ଆସିଥିବା ଅଧିକାରୀଙ୍କୁ ଦେଢ଼ ଘଣ୍ଟା ଧରି ଅଟକ ରଖିଥିଲେ।

ମୃତ ପ୍ରୟାସ ଓକଲାସ୍ଥିତ ଗୋପୀନାଥଜୀଉ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର। ଅଭିଯୋଗ ଅନୁସାରେ, ଗତ ୩ ତାରିଖ ଦିନ ସ୍କୁଲ୍‌ରେ ସେ ରୁବେଲା ଟୀକା ନେଇଥିଲେ। ଏହାର ୩ ଦିନ ପରେ ତାଙ୍କ ବାମ ହାତ ଓ ପରବର୍ତ୍ତୀ ସମୟରେ ବାମଗୋଡ଼ ଫୁଲିବା ଆରମ୍ଭ କରିଥିଲା। ଦେହ ବି ଫଳି ଯାଇଥିଲା। ବାପା ଶିବଚରଣ ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ମାତ୍ର, ଅବସ୍ଥା ଗୁରୁତର ହେବାରୁ ଗତକାଲି ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଏହି ଘଟଣା ଜଣାପଡ଼ିବା ପରେ ଓକଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକମାନେ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇବା ସହିତ ପ୍ରତିବାଦରେ ପୋତାନଇ -ଗାରେଇ ରାସ୍ତାରେ ଟାୟାର ଜାଳି ୨ ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣାର ତଦନ୍ତ ପାଇଁ ଆସିଥିବା ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ କୁମାର ବସ୍ତିଆ,ବ୍ଳକ ଶିକ୍ଷାଅଧିକାରୀ କୃତିବାସ ବାରିକ,କୁଜଙ୍ଗ ବିଡ଼ିଓ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ,ତହସିଲଦାର ବାସୁଦେବ ଶତପଥୀ ସ୍କୁଲ୍‌ର ଏକ କୋଠରୀରେ ବସି ଆଲୋଚନା କରୁଥିବାବେଳେ ଉତ୍ତ୍ୟକ୍ତ ଲୋକମାନେ ତାଲା ପକାଇଦେଇଥିଲେ। ଏହି ଅଧିକାରୀମାନେ ବନ୍ଦ କୋଠରୀରେ ଦେଢ଼ ଘଣ୍ଟା ଧରି ଅଟକ ରହିଥିଲେ। ପରେ ସେମାନଙ୍କୁ ବୁଝାସୁଝା କରିବା ସହିତ ବିପନ୍ନ ପରିବାରକୁ ସରକାରୀ ସହାୟତା ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ପ୍ରଦାନ ପରେ ଲୋକମାନେ ଆନ୍ଦୋଳନରୁ ହଟିଥିଲେ।

ଅନ୍ୟପକ୍ଷରେ, ରୁବେଲା ଯୋଗୁ ପ୍ରୟାସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଖଣ୍ଡନ କରିଛନ୍ତି। ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ କୁମାର ବସ୍ତିଆଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ଛାତ୍ରଙ୍କର ରକ୍ତ ସଂକ୍ରମଣଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର