ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୋପାପଦରରେ ଥିବା ଆଶ୍ରମ ବିଦ୍ୟାଳୟ ଛାତ୍ରାବାସ ଛାତ ଉପରୁ ଖସିପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଉକ୍ତ ଛାତ୍ରକୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଛନ୍ତି।
ଖବରରୁ ପ୍ରକାଶ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲିଥିବାରୁ କପାପଦର୍ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ଛାତ୍ରମାନେ ରହି ପରୀକ୍ଷା ଦେଉଥିଲେ। ଶନିବାର ଦିନ ଦଶମ ପରୀକ୍ଷାର ଶେଷ ପରୀକ୍ଷା ଥିବା ବେଳେ ଛାତ୍ରାବାସରେ ପିଲାମାନଙ୍କୁ ପାଠ ପଢ଼ିବାକୁ କୁହାଯାଉଥିଲା। ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍ ବାହାରେ ଚିତ୍କାର ଶୁଭିବାରୁ ଛାତ୍ରାବାସ ପରିସରରେ ଥିବା କର୍ମଚାରୀ ଏବଂ ଛାତ୍ରମାନେ ଦୌଡ଼ି ଆସିଥିଲେ। ଜଣେ ଛାତ୍ର ତଳେ ପଡି ଅଚେତ୍ ହୋଇଯାଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ସଂପୃକ୍ତ ଛାତ୍ରକୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏଠାରେ ଡାକ୍ତର ଛାତ୍ର ଜଣକର ମୃତ୍ୟୁ ହୋଇଯାଇଥିବା କହିଥିଲେ।
ମୃତ ଛାତ୍ର ହେଲେ ଘାଣ୍ଟିଖାଲ୍ ଗ୍ରାମର ସୀଙ୍ଗିନ ବିଡ଼ିକାଙ୍କ ପୁଅ ଭରତ ବିଡ଼ିକା। ତେବେ ବିଦ୍ୟାଳୟର ଦୁଇଜଣ ଛାତ୍ର ଛାତ୍ରାବାସ ଛାତ ଉପରକୁ ଯାଇଥିଲେ। ସେଥିମଧ୍ୟରୁ ଭରତ ଛାତ ଉପରୁ ଖସିପଡ଼ି ତଳେ ପଡ଼ିଯାଇ ଥିବା ଶୁଣିବାକୁ ମିଳୁଛି । ତେବେ କେଉଁ ପରିସ୍ଥିତିରେ ଏହି ଛାତ୍ରମାନେ ପାଠ ନ ପଢି ଛାତ ଉପରକୁ ଯାଇଥିଲେ, ସଂପୃକ୍ତ ଛାତ୍ର ଜଣକ ଦୁର୍ଘଟଣାବଶତଃ ଛାତରୁ ଖସିପଡିଲେ ନା ଜାଣିଶୁଣି ଆତ୍ମହତ୍ୟା କରିବାକୁ ଛାତରୁ ଡେଇଁପଡ଼ିଲେ ତାହା ତଦନ୍ତ ସାପେକ୍ଷ। ଖବର ପାଇ ବ୍ଲକ ମଙ୍ଗଳ ଅଧିକାରୀ ଶୁଭପ୍ରଦା ସାସମଲ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁର୍ଘଟଣାକୁ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଆଲୋଚନା କରିଥିଲେ।