ଟମକା: ଯାଜପୁର ଦାନଗଦୀ ବ୍ଲକ୍ ଦେଉଳକଣ ପଞ୍ଚାୟତ ନୟାବଗପାଟିଆ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଦୋଳି ଭୁଶୁଡ଼ି ପଡ଼ିବାରୁ ଚତୁର୍ଥ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନ ସାହୁ(୧୦)ଙ୍କର ମୃତ୍ୟୁ ଘଟିଛି। ଅନ୍ୟ କିଛି ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଡିଏମ୍‌ଏଫ୍‌ ଅନୁଦାନରୁ ବର୍ଷକ ତଳେ ଏହି ଘୋଷରା ଦୋଳି ନିର୍ମାଣ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ନିମ୍ନମାନର କାମ ଅଭିଯୋଗ ଆଣି ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କୁ ଗିରଫ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Advertisment

ଡିଏମ୍‌ଏଫ୍ ଅର୍ଥରେ ଗତବର୍ଷ ନିର୍ମାଣ ହୋଇଥିଲା ଦୋଳି
ଉତ୍ତେଜନା, ଠିକାଦାର ଓ ଯନ୍ତ୍ରୀଙ୍କୁ ଗିରଫ ଦାବି

ଦାନଗଦୀ ବ୍ଲକ୍ ନୟାବଗପାଟିଆ ଗ୍ରାମର ନବଘନ ସାହୁଙ୍କ ପୁଅ ସୌମ୍ୟରଞ୍ଜନ (୧୦) ଆଜି ଏହି ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଆସିଥିଲେ। ମଧ୍ୟାହ୍ନଭୋଜନ ଖାଇ ବିଦ୍ୟାଳୟ ପରିସରରେ ଥିବା ଘୋଷରା ଦୋଳିରେ ଖେଳୁଥିବା ସମୟରେ ହଠାତ୍ ଦୋଳି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେ ଦୋଳିରୁ ତଳକୁ ଛିଟିକି ପଡ଼ିଥିଲେ। ଦୋଳିର ଭଙ୍ଗା ଇଟାକାନ୍ଥ ତାଙ୍କ ମୁଣ୍ଡ ଓ ଛାତି ଉପରେ ପଡ଼ିଥିଲା। ତାଙ୍କ ଚିତ୍କାର ଶୁଣି ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶିକ୍ଷକଙ୍କ ଦାୟିତ୍ବହୀନତା ପାଇଁ ଏଭଳି ଅଘଟଣ ଘଟିଲା ବୋଲି ତାଙ୍କ ବାପା ନବଘନ ଅଭିଯୋଗ କରିଛନ୍ତି। ଖବର ପାଇ ଟମକା ଥାନା ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଛି।