ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଓ କବିସୂର୍ଯ୍ୟନଗର ଥାନା ଏବଂ ବାଲିଛାଇ ଫାଣ୍ଡି ଅଧୀନ ବାଲିଛାଇ ଗ୍ରାମରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି। ମନରେଗା ପ୍ରକଳ୍ପ ଫଳକ ଉପରେ ଚଢ଼ି ଖେଳୁଥିବା ସମୟରେ ତାହା ଭୁଶୁଡ଼ିପଡ଼ିବାରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ବାଲିଛାଇ ଗ୍ରାମ ନୂଆସାହିର ଅଶୋକ କୁମାର ସାହୁଙ୍କ ପୁଅ ଭାବଗ୍ରାହୀ (୧୩)। ବାଲିଛାଇ ନୋଡାଲ୍ ସ୍କୁଲ୍ରେ ପଢ଼ୁଥିବା ଭାବଗ୍ରାହୀ ଆଜି ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ଘରକୁ ଫେରିଥିଲେ।
ପରେ କିଛି ସାଙ୍ଗମାନଙ୍କ ସହ ବିଦ୍ୟାଳୟ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ଖେଳୁଥିଲେ। ଏହି ସମୟରେ ପାଚେରିକୁ ଲାଗି ରହିଥିବା ଏକ ପ୍ରକଳ୍ପ ନାମଫଳକ ଉପରେ ଚଢ଼ିଥିବା ବେଳେ ତାହା ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସିମେଣ୍ଟ୍ ଫଳକଟି ଭାବଗ୍ରାହୀଙ୍କ ଛାତି ଉପରେ ପଡ଼ିଯିବା ସହ ସେ ଚାପି ହୋଇ ରହିଯାଇଥିଲେ। ଗ୍ରାମବାସୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ପୋଲସରା ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ବାଲିଛାଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏକମାତ୍ର ପୁଅକୁ ହରାଇ ପରିବାରବର୍ଗ ଭାଙ୍ଗିପଡ଼ିଛନ୍ତି।