ସ୍କୁଲ ଖୋଲିବା ପୂର୍ବରୁ କଟକଣା : ସ୍କୁଲ ସମୟରେ କ୍ୟାମ୍ପସ୍ ବାହାରକୁ ଯାଇ ପାରିବେନି ପିଲା
ଭୁବନେଶ୍ୱର : ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲ କ୍ୟାମ୍ପସ୍ ଭିତରେ ରହିବେ ଛାତ୍ରଛାତ୍ରୀ। କୌଣସି ବି ପରିସ୍ଥିତିରେ କ୍ୟାମ୍ପସ ବାହାରକୁ ଯିବେ ନାହିଁ। ଯଦି କୌଣସି କ୍ଲାସ୍ ହେଉ ନ ଥିବ ତେବେ ବି ପିଲାମାନେ ଶ୍ରେଣୀ ଗୃହରେ ହିଁ ବସିବେ। ସ୍କୁଲ ଛାଡ଼ି ଯିବେନି। ଖେଳ କ୍ଲାସ୍ ସମୟରେ ପିଲାମାନେ କ୍ୟାମ୍ପସ୍ ଭିତରେ ଖେଳିବେ। କ୍ୟାମ୍ପସ ବାହାରକୁ ଯିବେ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ସ୍କୁଲ ବାହାରକୁ ଯାଆନ୍ତି ତେବେ ଏଥିପାଇଁ ବିଦ୍ୟାଳୟ କର୍ତୃପକ୍ଷ ଦାୟୀ ରହିବେ। ଆସନ୍ତା ସପ୍ତାହରେ ସ୍କୁଲ ଖୋଲିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ ବିଭାଗ ଅଧୀନରେ ଥିବା ସମସ୍ତ ନିର୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟକୁ ଆଜି ନିର୍ଦେଶନାମା ପଠାଯାଇଛି। ନିଜ ନିଜ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକୁ ଏ ସମ୍ପର୍କରେ ଅବଗତ କରିବାକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଭାଗ ସ୍ପଷ୍ଟ କରିଛି ଯେ ୨୦୧୬ରେ ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆରସି)ଙ୍କ ନିକଟରେ ଏକ ଅଭିଯୋଗ ହୋଇଥିଲା। ବଲାଙ୍ଗୀର ଜିଲ୍ଲା ପୃଥ୍ଵୀରାଜ ହାଇସ୍କୁଲର ଜଣେ ଛାତ୍ର ସ୍କୁଲ ସମୟରେ କ୍ୟାମ୍ପସ୍ ବାହାରକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରଣ ହରାଇଥିଲେ। ଏହାକୁ ନେଇ ଏନ୍ଏଚ୍ଆର୍ସିରେ ମାମଲା ହୋଇଥିଲା। ଭବିଷ୍ୟତରେ ଯେପରି ଏମିତି ନ ହୁଏ ସେଦିଗରେ ପଦକ୍ଷେପ ନେବାକୁ ଏନ୍ଏଚ୍ଆର୍ସି ପକ୍ଷରୁ ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ଏଥିସହ ସ୍କୁଲ ସମୟରେ ପିଲାମାନେ ଯେପରି କ୍ୟାମ୍ପସ୍ ବାହାକୁ ନ ଯାଆନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ଏନ୍ଏଚ୍ଆରସି କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦେଶନାମା ଜାରି ହୋଇଥିବା ବିଭାଗର ଯୁଗ୍ମ ସଚିବ ନିବେଦିତା ମିଶ୍ର କହିଛନ୍ତି।
ମିଳିଥିବା ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ରାଜ୍ୟର ସମସ୍ତ ବିଦ୍ୟାଳୟରେ ପାଚେରି ହୋଇପାରି ନାହିଁ। ୬୨ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ମାତ୍ର ୨୪ ହଜାର ବିଦ୍ୟାଳୟରେ ପାଚେରି ନାହିଁ। ଅଧିକାଂଶ ବିଦ୍ୟାଳୟରେ ପାଚେରି ନ ଥିବାରୁ ଛାତ୍ରଛାତ୍ରୀ କ୍ୟାମ୍ପସ୍ ବାହାରକୁ ଚାଲିଯାଉଛନ୍ତି। ହାଇସ୍କୁଲରେ ମଧ୍ୟ ସମାନ ଅବସ୍ଥା ଲାଗି ରହିଛି। ଯେଉଁଥିପାଇଁ ଦୁର୍ଘଟଣା ଘଟୁଛି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଆସନ୍ତା ସପ୍ତାହରେ ସ୍କୁଲ ଖୋଲିବ। ଏଥିସହ ବର୍ଷା ଦିନ ଆରମ୍ଭ ହୋଇଛି। କେତେକ ବିଦ୍ୟାଳୟରେ ପାଚେରି ଦୁର୍ବଳ ହୋଇଯାଇଥିବା ନଜରକୁ ଆସିଛି। ଯେଉଁଥିପାଇଁ ଦୁର୍ଘଟଣା ଆଶଙ୍କା ରହୁଛି। ତାହାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା କ୍ଷଣି ବିଦ୍ୟାଳୟ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଯେପରି ଏଥିପ୍ରତି ଗୁରୁତ୍ୱ ଦେବେ ସେଥିପାଇଁ ନିର୍ଦେଶନାମା ଜାରି ହୋଇଛି। ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ଏହା ଲାଗୁ ହେବ। ଯଦି କୌଣସି ସ୍ଥାନରେ ନିୟମ ଉଲ୍ଲଂଘନ କରାଯାଉଥିବା ନଜରକୁ ଆସେ ତେବେ ସମ୍ପୃକ୍ତ ସ୍କୁଲ କର୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।