ପାଠପଢ଼ା ସମୟରେ ନଦୀ ଓ ପାହାଡ଼ରେ ବୁଲୁଛନ୍ତି ଛାତ୍ରଛାତ୍ରୀ

କାଶୀପୁର: କାଶୀପୁର ବ୍ଲକର ବିଭିନ୍ନ ଆବାସିକ ବିଦ୍ୟାଳୟର ଅବ୍ୟବସ୍ଥା ସଂପର୍କରେ ଅନେକ ଥର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାସ‌ତ୍ତ୍ବେ ଅବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭାଗୀୟ ଅଧିକାରୀ ଦୃ୍ଷ୍ଟି ଦେଉନାହାନ୍ତି। ପାଠପଢ଼ା ଚାଲିଥିବା ସମୟରେ ଆଶ୍ରମ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ନିକଟସ୍ଥ ନଦୀ, ନାଳ ଓ ପାହାଡ଼ରେ ବୁଲୁଥିବା ଥିବା ବେଳେ ଶିକ୍ଷକ ମାନେ ଏଦିଗରେ ଦୃଷ୍ଟି ଦେଉନାହାନ୍ତି। ଏଭଳି ଏକ ଅଭିଯୋଗ ଆଣିଛନ୍ତି କାଶୀପୁର ବ୍ଲକର ଉପର କଡିଙ୍ଗା ଗ୍ରାମବାସୀ।

ସୂଚନା ଅନୁଯାୟୀ, ଉପର କଡ଼ିଙ୍ଗା ଗ୍ରାମରେ ଥିବା ଆଶ୍ରମ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମରୁ ଦଶମ ଶ୍ରେଶୀ ପର୍ଯ୍ୟନ୍ତ ପ୍ରାୟ ୬ଶହ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୮ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣ ଶିକ୍ଷକ ଅଧିକାଂଶ ଦିନ ବିଦ୍ୟାଳୟ କାମରେ କାଶୀପୁର କିମ୍ବା ରାୟଗଡା କାର୍ଯ୍ୟାଳୟ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ବିଦ୍ୟାଳୟରେ ନିଯୁକ୍ତ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଶିକ୍ଷକ ଅଧିକାଂଶ ସମୟରେ ଉପସ୍ଥାନ ଖାତାରେ ଉପସ୍ଥାନ ପକାଇ ନିଜ କାମରେ ବାହାରକୁ ଚାଲି ଯାଉଛନ୍ତି। ଏଭଳି ପରିସ୍ଥିତିରେ ମାତ୍ର ୪ଜଣ ଶିକ୍ଷକ ୧୦ଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇବା ସହିତ ସମସ୍ତଙ୍କ ଦେଖାଶୁଣା କରିବା ସମ୍ଭବ ହେଉନି। ଅନ୍ୟପଟେ ଏହାର ଫାଇଦା ଉଠାଇ କିଛି ଛାତ୍ରଛାତ୍ରୀ ପାଠପଢ଼ା ସମୟରେ ବିଦ୍ୟାଳୟରୁ ବାହାରକୁ ବାହାରି ନିକଟସ୍ତ ନଦୀ, ନାଳ ତଥା ପାହାଡ଼ରେ ବୁଲୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ଏଭଳି ଛାତ୍ରଛାତ୍ରୀ ବାହାରେ ବୁଲାବୁଲି କରୁଥିଲେ ହେଁ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ଅଧିକାରୀ ଏଦିଗରେ ଦୃଷ୍ଟି ଦେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଶ୍ରମ ବିଦ୍ୟାଳୟ ପରିସରରେ ସମସ୍ତ ପ୍ରକାର ସୁବିଧା ଥିବା ସତ୍ତ୍ବେ ଲୁଗା ସଫା ଓ ଶୌଚର ବାହାନା କରି ଛାତ୍ରଛାତ୍ରୀ ବାହାରକୁ ଯାଇ ବୁଲାବୁଲି କରୁଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଅଞ୍ଚଳବାସୀ ବହୁବାର ମଙ୍ଗଳ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯ‌ୋଗ କରିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପରିତାପର ବିଷୟ ବୋଲି ଆଶିଷ କୁମାର ,ଭ୍ରମର କାନ୍ଦ ପାନ, ଅରୁଣ ମହାନନ୍ଦିଆ, କେଦାର କନ୍ଦପାନ , ଡମ୍ବରୁ ଧର କନ୍ଦପାନ , ମୂଲିଆ ଝଡ଼ିଆ , ରମେଶ ଜାନୀ, ଥବିର ଝଡ଼ିଆ, ରତ୍ନାକର କନ୍ଦପାନଙ୍କ ସମେତ ଅନ୍ୟ ମାନେ କହିଛନ୍ତି। ଗୋଟିଏ ଦିନରେ ଛାତ୍ରଛାତ୍ରୀଙ୍କୁ କେବଳ ୨ରୁ ୩ଟି ପିରିୟଡରେ ପାଠ ପଢ଼ା ଯାଉଥିବା ବେଳେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଶୀଘ୍ର ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସଂପର୍କରେ କାଶୀପୁର ଡବ୍ଲୁଇଓ ଅକ୍ଷୟ କୁମାର ସାହୁଙ୍କୁ ପଚାରିବାରୁ ଏନେଇ ଅଭିଯୋଗ ମିଳିଛି ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର