ଅସ୍ତରଙ୍ଗ/ଚାରିଛକ : ସ୍ଥାନୀୟ ପୀରଜାହାନିଆ ବେଳାଭୂମିକୁ ପିକନିକ୍ ପାଇଁ ଆସିଥିବା ଜଣେ କଲେଜ ଛାତ୍ରଙ୍କର ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଛି। ସେ ଭୁବନେଶ୍ୱର ୟୁନିଟ୍-୮ ଅଞ୍ଚଳର ପ୍ରତୀକ ମହାପାତ୍ର(୧୭) ବୋଲି ଜଣାପଡ଼ିଛି। ଜାଭିଅର୍ ସ୍କୁଲ୍ର ସେ ଯୁକ୍ତ ୨ ଛାତ୍ର ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ୱର ଖଣ୍ଡଗିରି ନିକଟ ଜାଭିୟର୍ ସ୍କୁଲ୍ର କିଛି ଛାତ୍ର ଶିକ୍ଷକମାନଙ୍କ ସହ ଅସ୍ତରଙ୍ଗ ପୀରଜାହାନିଆ ବେଳାଭୂମିକୁ ଆଜି ପିକ୍ନିକ୍ କରିବାକୁ ଆସିଥିଲେ। ଶିକ୍ଷକ ଓ ସାଙ୍ଗସାଥିମାନେ ଗୋଟିଏ ପଟେ ଥିବାବେଳେ ପ୍ରତୀକ ଲହଡ଼ି ଭାଙ୍ଗିବାକୁ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲେ। ଅମାବାସ୍ୟା ଥିବାରୁ ସମୁଦ୍ର ଅଶାନ୍ତ ଥିଲା। ପ୍ରତୀକ ସମୁଦ୍ରକୁ ପ୍ରବେଶ କରିବା ମାତ୍ରେ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। କିଛି ସମୟ ପରେ ତାଙ୍କୁ ଜୁଆର ଆଣି କୂଳରେ କଚାଡ଼ି ଦେଇଥିଲା। ସେଠାରୁ ତାଙ୍କୁ ସାଙ୍ଗମାନେ ଉଦ୍ଧାର କରି ତାଙ୍କୁ ପ୍ରଥମେ ଅସ୍ତରଙ୍ଗ ଗୋଷ୍ଠୀ ଚିକିତ୍ସାଳୟ ଓ ପରେ ଚାରିଛକ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଡାକ୍ତରଖାନାରେ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ପୀରଜାହାନିଆ ବେଳାଭୂମିରେ ବାରମ୍ବାର ଅଘଟଣ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ହୋଇଥିଲେ ମଧ୍ୟ ସେଠାରେ ସତର୍କତା ପାଇଁ ଫଳକ ନାହିଁ କି ଲାଇଫ୍ ଗାର୍ଡ ବ୍ୟବସ୍ଥା ନାହିଁ। ଗତବର୍ଷ ଏହି ବେଳାଭୂମିରେ ଅଘଟଣ ଘଟି ୩ଟି ଜୀବନ ଯାଇଥିଲା। ଚଳିତବର୍ଷ ପିକନିକ୍ ଋତୁରେ ଏହା ପ୍ରଥମ ଅଘଟଣ ବୋଲି କୁହାଯାଉଛି।