ପିପିଲି : ପୁରୀ ଜିଲ୍ଲା ପିପିଲି ଥାନା ନିଜିଗଡ଼କୁରଖି ଅଞ୍ଚଳରେ ଚାଲିଥିବା ବେଆଇନ ମୋରମ ଖଣିର ଗଭୀର ପାଣିରେ ଆଜି ଦୁଇଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ପୁଲିସ ସୂଚନା ଅନୁସାରେ, ମୟୂରଭଞ୍ଜ ବାଙ୍ଗିରିପୋଷି ଅଞ୍ଚଳର ୫ଜଣ ଛାତ୍ର ଭୁବନେଶ୍ବର ଏୟାରଫିଲ୍‌ଡ଼ ଥାନା ସୁନ୍ଦରପଦା ଅଞ୍ଚଳରେ ଏକ ଭଡ଼ାଘରେ ରହି ଚାକିରି ନିମନ୍ତେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ାପଢ଼ି କରୁଥିଲେ। ଆଜି ଏହି ୫ଜଣ ଛାତ୍ର ସେଠାରୁ ନିଜିଗଡ଼କୁରଖିସ୍ଥିତ ଏହି ଖଣି ଥିବା ପାଣିରେ ଗାଧୋଇଥିଲେ।

Advertisment

ମୋରମଖଣିରେ ପ୍ରାୟ ୨୦ଫୁଟ ପାଣିଥିବାରୁ ଏବଂ ସେମାନେ ପହଁରା ଜାଣିନଥିବାରୁ ବାଙ୍ଗିରିପୋଷି ଅଞ୍ଚଳର ଅର୍ଚ୍ଚିତ ଗିରି(୨୨) ଓ ଦେବରାଜ ସିଂ(୨୨) ବୁଡ଼ିଯାଇଥିଲେ। ଅନ୍ୟ ୩ଜଣ ଛାତ୍ର କୌଣସିମତେ କୂଳକୁ ଚାଲି ଆସି ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଏମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ବହୁଚେଷ୍ଟା କରିଥିଲେ ମଧ୍ୟ ବୁଡ଼ିଯାଇଥିବା ଛାତ୍ରଦ୍ବୟଙ୍କୁ ଉଦ୍ଧାର କରିପାରିନଥିଲେ। ଖବରପାଇ ପିପିଲି ପୁଲିସ ଓ ଦମକଳ ବାହିନୀ ସେଠାରେ ପହଞ୍ଚି ଛାତ୍ରଦ୍ବୟଙ୍କ ମୃତଦେହ ଗଭୀର ପାଣିରୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପଠାଇ ଘଟଣାର ତଦନ୍ତ କରୁଛି ବୋଲି ପିପିଲି ଥାନା ଏସ୍‌ଆଇ ସନ୍ଦୀପ ଦାସ କହିଛନ୍ତି।

ସୂଚନାଯୋଗ୍ୟ, ମାଫିଆମାନେ ଜେସିବି ଦ୍ବାରା ମୋରମ ଖୋଳି ନିଜିଗଡ଼କୁରଖି ଅଞ୍ଚଳରେ ପ୍ରାୟ ୪୦ଫୁଟ ଗାତ କରିବା ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ଏହା କାଳ ସାଜିଛି। ୨୦୧୮ରେ ଏହି ମୋରମ ଖଣିରେ ପଡ଼ି ସ୍ଥାନୀୟ ଅଞ୍ଚଳର ଦୁଇଜଣ ଶିଶୁ ମୃତ୍ୟୁବରଣ କରିଥିଲେ। ଇତିମଧ୍ୟରେ ସେହି ଖଣିରେ ପଡ଼ି ୬୦ରୁ ଅଧିକ ଗାଈଗୋରୁଙ୍କର ମୃତ୍ୟୁଘଟିଛି।

ଗଡ଼ିଆରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ ସୁକରପଡ଼ା ପଞ୍ଚାୟତ ବନମାଳିପୁର (ମଧୁବନ) ଗ୍ରାମରେ ହୃଦୟ ବିଦାରକ ଘଟଣା ଘଟିଛି। ଆଜି ଘର ନିକଟରେ ଖେଳୁଥିବା ବେଳେ ଗ୍ରାମର ଦୁଇ ଭଉଣୀ ଏକ ଗଡ଼ିଆରେ ବୁଡ଼ି ପ୍ରାଣ ହରାଇଛନ୍ତି। ବଡ଼ଦିନ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଲୋକମାନେ ‌ଭୋଜିଭାତ, ଉତ୍ସବରେ ମସଗୁଲ୍‌ ଥିଲାବେଳେ ଏହି ଘଟଣା ଶୋକର ଛାୟା‌ ଖେଳାଇ ଦେଇଛି। ଆଜି ଦିନ ପ୍ରାୟ ୧୦ଟାରେ ବନମାଳିପୁର ଗ୍ରାମର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ ଈପ୍‌ସିତା ପଣ୍ଡା (୯ବର୍ଷ) ଓ ଲିପ୍‌ସିତା ପଣ୍ଡା (୫ବର୍ଷ) ଘରପାଖ ଗଡ଼ିଆ ନିକଟରେ ଖେଳୁଥିଲେ। ବହୁସମୟ ପର୍ଯ୍ୟନ୍ତ ଦୁଇ ଭଉଣୀ ଘରକୁ ନ ଫେରିବାରୁ ପରିବାର ଲୋକମାନେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖୋଜାଖୋଜି କରିଥିଲେ। ପରେ ଗଡ଼ିଆରୁ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଖବର ପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀ ପହଞ୍ଚି ଦୁଇ ଭଉଣୀଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏ ନେଇ ନିଶ୍ଚିନ୍ତକୋଇଲି ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି ବୋଲି ଆଇଆଇସି ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଗଡ଼ିଆ କୂଳରେ ଖେଳୁଥିବା ଲିପ୍‌ସିତାର ଗୋଡ଼ ଖସିଯିବାରୁ ସେ ପାଣିରେ ପଡ଼ି ଯାଇଥିବା ଏବଂ ତାକୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀ ଇପ୍‌ସିତା ମଧ୍ୟ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ଶବ ବ୍ୟବଚ୍ଛେଦ ପରେ ଆଜି ସନ୍ଧ୍ୟାରେ ଗ୍ରାମ୍ୟ ଶ୍ମଶାନରେ ଦୁଇ ଭଉଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ପ୍ରକାଶଥାଉ କି, ଇପ୍‌ସିତା ବନମାଳିପୁର ସ୍କୁଲ୍‌ରେ ଓ ଲିପ୍‌ସିତା ସ୍ଥାନୀୟ ଅଙ୍ଗନବାଡ଼ିରେ ପାଠ ପଢ଼ୁଥିଲେ। ବାପା ସତ୍ୟସୁନ୍ଦର ଚାଷକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲା ବେଳେ ମା’ ଜଣେ ଗୃହିଣୀ। ଦୁଇ ଝିଅଙ୍କ ମୃତ୍ୟୁ ପରେ ମା’ଙ୍କ କୋଳ ଶୂନ୍ୟ ହୋଇଯାଇଛି।