ପାଣିରେ ବୁଡ଼ି ସେବାଶ୍ରମ ଛାତ୍ରଙ୍କ ମୃତ୍ୟୁ : ବିଦ୍ୟାଳୟରେ ଉତ୍ତେଜନା, ପ୍ରଶାସନ ଓ ପୁଲିସର ହସ୍ତକ୍ଷେପ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗଂଗଲା ସେବାଶ୍ରମରେ ଅଭାବନୀୟ ଘଟଣା ଘଟିଛି। ଶୌଚ ପାଇଁ ନିକଟସ୍ଥ ନାଳକୁ ଯାଇଥିବା ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ବାପାମା’ ନଥିବା ଏହି ଛାତ୍ରକୁ ତା’ର ଜେଜମା’ ଦୁଇଦିନ ତଳେ ସେବାଶ୍ରମରେ ଛାଡ଼ି ଯାଇଥିଲେ।

ସୂଚନା ଅନୁସାରେ, ଦୁଇ ଦିନ ତଳେ ବାପା, ମା’ ଛେଉଣ୍ଡ ଅମିତ କୁଲକେରା (୬)କୁ ନେଇ ଜେଜେମା’ ଏହି ସେବାଶ୍ରମକୁ ଆସିଥିଲେ। ବୃଦ୍ଧା ଅବସ୍ଥାରେ ନାତିର ଯତ୍ନ ନେବା ତାଙ୍କ ପକ୍ଷେ ସମ୍ଭବ ନୁହଁ। ତେଣୁ ହଷ୍ଟେଲରେ ରଖି ପାଠ ପଢ଼ାଇବାକୁ ଜେଜେମା’ ଅନୁରୋଧ କରିଥିଲେ। ଅବ୍ୟବସ୍ଥା ମଧ୍ୟରେ ଥିବା ସେବାଶ୍ରମରେ ଶୌଚାଳୟ ରହିଥିଲେ ମଧ୍ୟ ପାଣିର ସୁବିଧା ନାହିଁ। ଆଜି ସକାଳେ ଅନ୍ୟ ପିଲାଙ୍କ ସହ ଅମିତ ଶୌଚ ପାଇଁ ହଷ୍ଟେଲରୁ ବାହାରିଥିଲା। ନାଳରେ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲା। ସାଥୀରେ ଯାଇଥିବା ପିଲାମାନେ ହଷ୍ଟେଲକୁ ଆସି ହଷ୍ଟେଲ କର୍ତୃପକ୍ଷଙ୍କୁ ଜଣାଇଥିଲେ। ପ୍ରାୟ ଘଣ୍ଟାଏ ପରେ ହଷ୍ଟେଲ କର୍ତୃପକ୍ଷ ପହଞ୍ଚି ଉଦ୍ଧାର କରି ପାଣ୍ଡ୍ରିପାଣି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ହଷ୍ଟେଲରେ ଅବ୍ୟବସ୍ଥା ଲାଗି ରହିଥିବାରୁ ସମସ୍ତ ଅନ୍ତେବାସୀ ଆଜି ନିଜ ନିଜ ଘରକୁ ଚାଲି ଯିବାକୁ ବାହାରିଥିଲେ। ଖବର ପାଇ ପୁଲିସ ଓ ପ୍ରଶାସନ ପହଞ୍ଚି ହସ୍ତକ୍ଷେପ କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର