ରାଜଧାନୀରେ ଅଭାବନୀୟ ଘଟଣା: ଡ୍ରେନ୍‌ରେ ଭାସିଗଲେ ଛାତ୍ର

ଭୁବନେଶ୍ବର : ଦେଶର ପ୍ରମୁଖ ସ୍ମାର୍ଟ ସିଟିମାନଙ୍କ ମଧ୍ୟରେ ଅନ୍ୟତମ ଭାବେ ପରିଚିତ ଭୁବନେଶ୍ବରରେ ଲଗାତାର ଭାବେ ହେଉଥିବା କୃତ୍ରିମ ବନ୍ୟା ଯୋଗୁଁ ରବିବାର ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ମୁକୁଳା ଡ୍ରେନ୍‌ରେ ଜଣେ ଦଶମ ‌‌ଶ୍ରେଣୀ ଛାତ୍ର ଭାସି ଯାଇଛନ୍ତି। ଛାତ୍ର ଜଣକ ହେଲେ ବରମୁଣ୍ଡା ଗାଁ ଢିପସାହି ୪୨୦ ନମ୍ବର ପ୍ଲଟ୍‌ରେ ରହୁଥିବା ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା। ରବିବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ପରେ ରାସ୍ତାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ପାଇଁ ଏହି ଅଘଟଣ ଘଟିଛି। ଟ୍ୟୁସନ୍ ଯିବା ବାଟରେ ଡ୍ରେନ୍‌ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ରାଜା ଭାସି ଯାଇଥିବା ଜଣାପଡ଼ିଛି। ଅଗ୍ନିଶମବାହିନୀ ପକ୍ଷରୁ ପ୍ରାୟ ୭ ଘଣ୍ଟା କାଳ ବିଭିନ୍ନ ଡ୍ରେନ୍‌ରେ ଖୋଜାଖୋଜି କରାଯାଇଥିଲେ ତାଙ୍କର କୌଣସି ପତ୍ତା ମିଳି ପାରିନାହିଁ।

ରାଜା (ଫାଇଲ୍‌ ଫଟୋ)

୨୦୧୫ ମସିହାରେ ନୂଆପଲ୍ଲୀ ଅଞ୍ଚଳରେ ଏମିତି ଏକ ଅଘଟଣ ଘଟିଥିଲା ଓ ମୁକୁଳା ଡ୍ରେନ୍‌ରେ ଭାସି ଯାଇ ଜଣେ ନାବାଳକ ପ୍ରାଣ ହରାଇଥିଲେ। ତେଣୁ ବାରମ୍ବାର ସ୍ମାର୍ଟ ସିଟିରେ ଘଟୁଥିବା ଏଭଳି ଅଘଟଣ ପାଇଁ ବିଏମ୍‌ସିକୁ ଦାୟୀ କରି ଆଜି ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂ‌ଗ୍ରେସ ଓ ବିଜେପି ପକ୍ଷରୁ ବିଏମ୍‌ସି ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି। ଛାତ୍ରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ଏଥିସହିତ ମୁକୁଳା ପଡ଼ିଥିବା ରାଜଧାନୀର ସବୁ ଡ୍ରେନ୍‌ଗୁଡ଼ିକରେ ସ୍ଲାବ୍‌ ପକାଇବାକୁ ତ୍ବରିତ୍ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ରବିବାର ଅପରାହ୍ଣ ପ୍ରାୟ ୨ଟା ବେଳେ ରାଜା ଘରୁ ବାହାରି ସଂସ୍କୃତ ଟ୍ୟୁସନ୍‌ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ। କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେସାଙ୍ଗେ ଫେରି ଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍‌ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରିନଥିଲେ। ଏମିତିକି ଟ୍ୟୁସନ୍ ଯିବା ବାଟରେ ପଡ଼ୁଥିବା ନାଳରେ ବର୍ଷା ଜଳର ସୁଅ ପଡ଼ିଥିବା ବୋଲି ମା’ ରାଜାକୁ ସତର୍କ କରାଇଥି‌ଲେ। କିନ୍ତୁ ଡ୍ରେନ୍‌ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବୁଡ଼ି ଏକାକାର ହୋଇଯାଇଥିଲା। ତେଣୁ ରାଜା ବାଟ ଜାଣିନପାରି ଡ୍ରେନ୍‌ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ। ଶତାବ୍ଦୀନଗର ଲେନ୍‌-୭ ଦେଇ ଯାଇଥିବା ବିଏମ୍‌ସିର ଡ୍ରେନ୍‌ ନମ୍ବର-୮ରେ ରାଜା ଭାସି ଯାଇଥିଲେ।

ସେ ଉବୁଟୁବୁ ହୋଇ ଭାସି ଯାଉଥିବା ଦେଖି କ୍ୟାଟରିଂ କାମରେ ଆସିଥିବା କିଛି ପିଲା ତାଙ୍କୁ ଉଦ୍ଧାର କରିବା ପାଇଁ ଡ୍ରେନ୍‌କୁ ଡେଇଁଥିଲେ। ମାତ୍ର ପ୍ରଖର ସ୍ରୋତରେ ସେମାନେ ରାଜାକୁ ଉଦ୍ଧାର କରିବାର ବିଫଳ ହୋଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ରାଜାକୁ ଖୋଜାଖୋଜି କରିଥିଲେ। ବରମୁଣ୍ଡାରୁ ପଞ୍ଚସଖାନଗର ପର୍ଯ୍ୟନ୍ତ ପ୍ରାୟ ୧୦ କିମି ଡ୍ରେନ୍‌ରେ ପଶି ବହୁ ଖୋଜାଖୋଜି ପରେ ବି ରାଜାକୁ ପାଇନଥିଲେ। ଏହି ଘଟଣା ପ୍ରଚାର ହେବା ପରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସମେତ ଛାତ୍ର ନେତା ୟାସିର ନଵାଜ୍ ସେଠାରେ ପହଞ୍ଚି ବିଏମ୍‌ସିର ଦାୟିତ୍ବହୀନତା ଉପରେ ବର୍ଷିଥିଲେ। ସେହିଭଳି ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ବିଏମ୍‌ସି କମିସନରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର