ପୁରୀ: ଶ୍ରୀମନ୍ଦିରରେ ଦଳାଚକଟାରେ ୮ଜଣ ଛାତ୍ରୀ ଚେତା ହରାଇବା ଘଟଣାରେ ଏସ୍ପି ଡ.କେ.ବିଶାଳ ସିଂହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଡହଡହ ଖରାରେ ସ୍କୁଲ୍ କର୍ତ୍ତୃପକ୍ଷ ୧୨ରୁ ୧୪ ବର୍ଷର ଛାତ୍ରଛାତ୍ରୀଙ୍କୁ ଘଣ୍ଟାଘଣ୍ଟା ଧରି ଚଲାଇ ଦର୍ଶନ ପାଇଁ ଆସିଥିଲେ? ସ୍କୁଲ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିଲେ? ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ସେଠାରେ ସ୍ଥାନୀୟ ପୁଲିସ ମୁତୟନ ହୋଇଥିବା ସତ୍ତ୍ବେ କିଭଳି ଏହି ପରିସ୍ଥିତି ଉପୁଜିଲା? ଏ ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସିଟି ଡିଏସ୍ପି ଓ କୁମ୍ଭାରପଡ଼ା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏସ୍ପି ଡ.ସିଂହ କହିଛନ୍ତି, ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ତୁମ୍ବାଖୁରୀର ହୃଦାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟରୁ ୧୨ରୁ ୧୪ ବର୍ଷୀୟ ୭୦ ଜଣ ଛାତ୍ରଛାତ୍ରୀ ଶିକ୍ଷକ ଯତୀନ୍ଦ୍ରନାଥ ଦତ୍ତଙ୍କ ଦାୟିତ୍ବରେ ପୁରୀ ଆସିଥିଲେ। ପ୍ରାଥମିକ ତଦନ୍ତ ମୁତାବକ, ଛାତ୍ରଛାତ୍ରୀମାନେ ଦିନ ୨ଟାରେ ମଧ୍ୟାହ୍ନଭୋଜନ ଖାଇ ସମୁଦ୍ରକୂଳରେ ବୁଲାବୁଲି କରିଥିଲେ। ପରେ ଦଳଗତ ଭାବେ ଛାତ୍ରଛାତ୍ରୀମାନେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଏହାପରେ ସେମାନେ ଖାଇନଥିଲେ କି ପାଣି ପିଇନଥିଲେ। ପୁରୀ ଆସୁଥିବା ବେଳେ କିଛି ଛାତ୍ରଛାତ୍ରୀ ବସ୍ ମଧ୍ୟରେ ବାନ୍ତି କରିଥିଲେ। ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଯେଉଁଠି ଅବହେଳା ହୋଇଥିବା ପ୍ରମାଣ ମିଳିବ, ପୁଲିସ ପକ୍ଷରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ.ସିଂହ କହିଛନ୍ତି।