ବରଗଡ : ସେଲଫି ନେଉଥିବା ବେଳେ ୨୦୦ ଫୁଟ ତଳକୁ ଖସି ପଡ଼ିଲେ ଛାତ୍ର, ସୌଭାଗ୍ୟବଶତଃ ବଞ୍ଚିଗଲା ଜୀବନ

ବରଗଡ଼ : ଏବେ ଚାଲିଛି ସେଲଫି ଯୁଗ । କୌଣସି ସ୍ଥାନକୁ ଗଲେ କେହି ସେଲଫି ନେବା ପାଇଁ ଭୁଲି ନ ଥାନ୍ତି । କିନ୍ତୁ ସେହି ସେଲଫି ବେଳେ ବେଳେ ସାଜିଥାଏ ମୃତ୍ୟୁର କାରଣ । ଆପଣ ଶୁଣିଥିବେ ସେଲଫି ନିଶାରେ କେତେବେଳେ ନଦୀରେ ଭାସଗଲେଣି ତ କେତେବେଳ ହିଂସ୍ରଜନ୍ତୁ କବଳରେ ପଡ଼ୁଛି ଜୀବନ । ତଥାପି ସେଲଫି ନିଶା ଛାଡ଼ୁନି । ନିକଟରେ ପୁଣି ଏପରି ଏକ ଘଟଣା ଘଟିଛି ।
ସେଲଫି ନେଉଥିବା ସମୟରେ ୨୦୦ଫୁଟ ତଳକୁ ଖସିପଡିଲେ ଯୁବକ । ହେଲେ ସୌଭାଗ୍ୟବଶତଃ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ । ଘଟଣା ଘଟିଛି ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ବାରପାହାଡ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନାଲିଚୁଆଁ ଜଳପ୍ରପାତରେ । ବିକାଶ ଡିପ୍ଲୋମା କଲେଜର କିଛି ଛାତ୍ର ଏଠାକୁ ପିକନିକ କରିବା ପାଇଁ ଆସିଥିଲେ । ଏହି କଲେଜର ଛାତ୍ର ରାହୁଲ ଦାସ ଧିରେ ଧିରେ ସେଲଫି ନେବା ପାଇଁ ମୋବାଇଲ ସହ ଯାଉଥିବା ସମୟରେ ହଠାତ ତାଙ୍କ ଗୋଡ ଖସିଯାଇଥିଲା ।
ଏହାପରେ ଭାରସାମ୍ୟ ହରାଇ ସେ ତଳକୁ ତଳକୁ ଖସିଚାଲିଥିଲେ । ଏହି ସମୟରେ ତାଙ୍କ ସାଙ୍ଗ ମୋବାଇଲରେ କିଛି ଚିତ୍ରଉତ୍ତୋଳନ କରିଥିଲେ। ପାହାଡ ଉପରୁ ତଳକୁ ଖସିଯିବା ସମୟର ଏ ହେଉଛି ଦୃଶ୍ୟ । ତେବେ ତଳକୁ ଖସିବାପରେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି ସ୍ଥାନରେ ସେଲଫି ନେବା କେତେ ବିପଦପୂର୍ଣ୍ଣ ହୋଇପାରେ ତାହା ସ୍ପଷ୍ଟ ଜଣାପଡ଼ୁଛି ।

ସମ୍ବନ୍ଧିତ ଖବର