ଡାକ ବିଭାଗ ଆଣିଲା ଛାତ୍ରବୃତ୍ତି ଯୋଜନା : ଏହି ଯୋଜନାରେ ବର୍ଷକୁ ମିଳିବ ୬ ହଜାର ଟଙ୍କା

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ ଟିକଟ ସଂଗ୍ରହ ରୁଚିକୁ ପ୍ରୋତ୍ସାହନ ପାଇଁ ଡାକ ବିଭାଗ ଦୀନ ଦୟାଲ ସ୍ପର୍ଶ ଯୋଜନା-୨୦୧୮ ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ର, ଯେଉଁମାନଙ୍କର ଡାକ ଟିକଟ ସଂଗ୍ରହରେ ରୁଚି ରହିଥିବ ସେମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏହି ପ୍ରତିଯୋଗିତାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଡାକ ଟିକଟ ସମ୍ପର୍କିତ ଏକ କୁଇଜ ପ୍ରତିଯୋଗିତା ହେବ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କୁ ଡାକ ଟିକଟ ସଂଗ୍ରହ ସମ୍ପର୍କିତ ପ୍ରକଳ୍ପ ଉପସ୍ଥାପନ କରିବାକୁ ପଡ଼ିବ।

ଏହି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ପ୍ରତିଯୋଗିତା ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୧୮ ଅଗଷ୍ଟ ୧୬ ରଖାଯାଇଛି। ପ୍ରତିଯୋଗୀମାନେ ଅଧିକ ସୂଚନା ପାଇଁ ମୁଖ୍ୟ ଡାକ ମହାପ୍ରବନ୍ଧକ, ଭୁବନେଶ୍ୱର, ଡାକ ମହାପ୍ରବନ୍ଧକ ସମ୍ବଲପୁର ଓ ବ୍ରହ୍ମପୁର ଏବଂ ନିକଟସ୍ଥ ଡାକ ବିଭାଗର ଅଧୀକ୍ଷକ ଓ ବରିଷ୍ଠ ଅଧୀକ୍ଷକଙ୍କୁ ଯୋଗାଯୋଗ କରିପାରିବେ। ଏଥିସହିତ ପ୍ରତିଯୋଗିତା ସମ୍ପର୍କିତ ବିସ୍ତୃତ ତଥ୍ୟ ଡାକ ବିଭାଗର ୱେବସାଇଟ୍‌ odishapost.gov.inରେ ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର