ଲହଡ଼ି ମାଡ଼ରେ ଭାସି ଛାତ୍ର ମୃତ

ପୁରୀ : ଶନିବାର ଦିନ ପୁରୀ ସମୁଦ୍ରରେ ଜଣେ ବଙ୍ଗୀୟ ଇଂଜିନିୟରିଂ ଛାତ୍ର ଭାସିଯାଇ ମୃତ୍ୟୁର ଶିକାର ହୋଇଛନ୍ତି। ୨୦ ବର୍ଷ ବୟସ୍କ ଏହି ଛାତ୍ରଙ୍କ ନାମ ଦେବରାଜ ମୁଖାର୍ଜୀ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଦେବରାଜଙ୍କ ପରିବାର ଲୋକେ ପଶ୍ଚିମବଙ୍ଗ ହାଓଡ଼ାରୁ ଆସି ଆଜି ପୁରୀରେ ପହଞ୍ଚିଥିଲେ। ଏଠାରେ ଏକ ହୋଟେଲରେ ସମସ୍ତ ଜିନିଷପତ୍ର ରଖି ସମୁଦ୍ରକୁ ଗାଧୋଇବାକୁ ଚାଲି ଯାଇଥିଲେ। ପରିବାର ସହିତ ଗାଧୋଉଥିବା ବେଳେ ରାଜ ଓରଫ ଦେବରାଜ ଲହଡ଼ି ମାଡ଼ରେ ଭାସିଯାଇଥିଲେ। ସେଠାରେ ଡିଉଟି କରୁଥିବା ଲାଇଫଗାର୍ଡମାନେ ରାଜଙ୍କୁ ଉଦ୍ଧାର କରି ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହସ୍ପିଟାଲରେ ଡାକ୍ତର ଦେବଙ୍କୁ ମୃତ ଘୋଷଣା କରି ପୁଲିସକୁ ସୂଚନା ଦେଇଥିଲେ।

ତେବେ ଦେବଙ୍କ ମୃତ୍ୟୁ ହୋଇ ସାରିଥିବା ବିଶ୍ବାସ କରିପାରୁନଥିଲେ ତାଙ୍କ ମା’। ଦେବରାଜଙ୍କ ଶବକୁ ଆଉଁଷି ଆଉଁଷି ମା’ ବାରମ୍ବାର ଡାକ୍ତରଙ୍କୁ ଡାକି ସଠିକ ଭାବେ ଦେଖିବାକୁ କହୁଥିଲେ। ତାଙ୍କ ବେଦନାକୁ ଅନୁଭବ କରି ଡାକ୍ତର ମଧ୍ୟ ଚାରି ଥର ଆସି ଦେବରାଜଙ୍କ ନାଡ଼ି ଚିପି ‘ଆଉ ନାହାନ୍ତି’ ବୋଲି କହିଥିଲେ। ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ରାଜଙ୍କ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ କରାଇଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର