ଘରୋଇ କୋଚିଂ ସେଣ୍ଟରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଉଦଳା/ଉଦଳା(୧)/ଖୁଣ୍ଟା : ଉଦଳାସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଉଦଳା ଥାନାରେ ଅଭିଯୋଗ କରିଛନ୍ତିସ। ଏହି ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ, ଖୁଣ୍ଟା ଥାନା ମଞ୍ଜରୀ (ବାଲିମୁଣ୍ଡଳି) ଗ୍ରାମର ଅଜିତ ଦାଶଙ୍କ ପୁଅ ଅନିମେଶ (୧୬) ଉଦଳା କଲେଜରେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେଠାରେ ୟୁନିକ୍‌ ଷ୍ଟଡି ସେଣ୍ଟର ନାମକ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲରେ ସେ ରହୁଥିଲେ। ଆଜି ଭୋରରୁ ଅନିମେଶ ହଷ୍ଟେଲରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୋଚିଂ ସେଣ୍ଟର ମାଲିକ ଭବାନୀ ଶଙ୍କର କାଲିଆ ତାଙ୍କ ବାପାଙ୍କୁ ଖବର ଦେଇଥିଲେ। ଅଜିତ ଉଦଳା ଡାକ୍ତରଖାନାରେ ପହଞ୍ଚି ପୁଅର ମୃତଦେହ ଦେଖିବାକୁ ପାଇଥିଲେ।

ଅନିମେଶ ହଷ୍ଟେଲର ଶିଡି ପାହାଚରୁ ଝୁଲି ଆତ୍ମହତ୍ୟା କରିଥିବା କୋଚିଂ ସେଣ୍ଟର କର୍ତ୍ତୃପକ୍ଷ କହୁଛନ୍ତି। କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ଉଦଳା ଥାନା କେସ୍‌ ନମ୍ବର ୧୭୯/୧୭ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାର ତଦନ୍ତ ଜାରି ରହିଛି, ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। ମୃତ ଅନିମେଶ ବାପା,ମା’ଙ୍କ ଏକମାତ୍ର ପୁତ୍ରସନ୍ତାନ ଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର