ପୁରୀ/ବ୍ରହ୍ମଗିରି: ଗୋପାଳପୁର ଗଣଦୁଷ୍କର୍ମ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଆଉ ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡ଼ିତା ଆଜି ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କର ଡାକ୍ତରୀ ମାଇନା କରାଇଛି। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି। ଅନ୍ୟପକ୍ଷରେ ପୀଡ଼ିତା ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଛି।
ସୂଚନା ଅନୁସାରେ, ଯୁକ୍ତ ତିନି ଦ୍ବିତୀୟ ବର୍ଷର ଏହି ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଗତ ଶନିବାର ମଧ୍ୟାହ୍ନରେ ବାଲି ହରଚଣ୍ଡୀ ପୀଠକୁ ଦର୍ଶନ ନିମନ୍ତେ ଯାଇଥିଲେ। ଏହାପରେ ସେମାନେ ନିକଟରେ ଥିବା ସମୁଦ୍ରକୂଳକୁ ଜଙ୍ଗଲ ଦେଇ ଯାଇଥିଲେ। ସେମାନେ ଜଙ୍ଗଲରେ ବସି କଥାବାର୍ତ୍ତା ହେଉଥିବା ବେଳେ ସେଠାରେ ଚଣ୍ଡିପୁଟ ଗାଁର କାଳିଆ ବେହେରା ଓ ଶିବ ସାହୁ ପହଞ୍ଚି ଉଭୟଙ୍କୁ ବ୍ଲାକ୍ମେଲିଂ କରିଥିଲେ। ଦୈହିକ ସମ୍ପର୍କ ରଖିଛ, ତମ ଘର ଲୋକଙ୍କୁ କହିଦେବୁ ବୋଲି ଧମକ ଓ ଭୟଭୀତ କରାଇ ସେମାନଙ୍କଠାରୁ ୨ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହା ପରେ ସେମାନେ ପୀଡ଼ିତାଙ୍କ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ ଏବଂ ତାଙ୍କ ଆଗରେ କାଳିଆ ଓ ଶିବ ମିଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ସେଠାରୁ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ କୌଣସିପ୍ରକାର ହରଚଣ୍ଡୀ ପୀଠ ନିକଟକୁ ଆସିବା ପରେ ଉଭୟ କାଳିଆ ଓ ଶିବ ସେମାନଙ୍କର ଅନ୍ୟ ଦୁଇ ସାଙ୍ଗଙ୍କୁ ଡାକି ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ ଆହତ ହୋଇଥିଲେ। ଏହାକୁ ନେଇ ଗତକାଲି ନିକଟସ୍ଥ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ସେଭଳି କୌଣସି ଠୋସ୍ ଖବର ମିଳିନାହିଁ ବୋଲି ସଦର ଏସ୍ଡିପିଓ ରବିନାରାୟଣ ଭଞ୍ଜ କହିଥିଲେ। ତେବେ ଆଜି ସନ୍ଧ୍ୟାରେ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି କାଳିଆ ଓ ଶିବକୁ ଉଠାଇ ନେଇଛି। ସେମାନଙ୍କର ଅନ୍ୟ ଦୁଇ ସାଙ୍ଗକୁ ଧରିବା ପାଇଁ ଜାଲ ବିଛାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/HjFMxoh0L7zlgRKO9kcY.jpg)