ଛାତ୍ରଛାତ୍ରୀଙ୍କ ମାନସିକ ଚାପ ଦୂର କରିବ ‘ଭରସା’

ଅନ୍‌ଲାଇନ୍‌ରେ ଲୋକର୍ପିତ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ପଦକ୍ଷେପ ନେବାକୁ ଆହ୍ବାନ

ଭୁବନେଶ୍ୱର : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ ରଖିବା ଓ ଦୃଢ଼ କରିବା ଲକ୍ଷ୍ୟରେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ହେଲପ୍‌ଲାଇନ୍‌(୦୮୦୪୬୮୦୧୦୧୦) ‘ଭରସା’କୁ ଲୋକାର୍ପଣ କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଆଜି ଅନ୍‌ଲାଇନ୍‌ ମାଧ୍ୟମରେ ଏହାକୁ ଉନ୍ମୋଚନ କରି କହିଲେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଇଂରାଜୀ ଓ ଓଡ଼ିଆ ଭାଷାରେ ହେଲ୍‌ପଲାଇନ୍‌ ଉପଲବ୍ଧ ହେବ। କୁଳପତି ଓ ତାଙ୍କ ଟିମ୍‌ ପକ୍ଷରୁ କରାଯାଇଥିବା ଏହି ଉଦ୍ୟମ ଦ୍ବାରା ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରି‌ବେ। ‘ଭରସା’ ଛାତ୍ରଛାତ୍ରୀଙ୍କ ଭରସା ଜିତିବ ବୋଲି ମୋର ଆଶା ଓ ବିଶ୍ବାସ। ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଥିଲେ।

ପୂର୍ବାହ୍ନରେ ଅନୁଷ୍ଠିତ ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଲୋକସେବା ଭବନରେ ୱେବେକ୍ସ ଜରିଆରେ ଭିଡିଓ କନ୍‌ଫରେନ୍ସରେ ଯୋଗଦେଇ କହିଲେ ବର୍ତମାନ ସମୟରେ କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇ ଗତି କରୁଛି। ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନ ଥିବା ବେଳେ ଏହା ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି। ଲକ୍‌ଡାଉନ୍‌ ଜାରି ରହିଥିବାରୁ ସାମାଜିକ ଜୀବନ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରୁଛି। ଏଥିରେ ପ୍ରଭାବିତ ନ ହୋଇ ଛାତ୍ରଛାତ୍ରୀ ପାଠପଢ଼ା ଜାରି ରଖନ୍ତୁ। ଲକ୍‌ଡାଉନ୍‌କୁ ଏକ ସୁଯୋଗ ଭାବେ ଗ୍ରହଣ କରି ଘରେ ରହି ପଢ଼ନ୍ତୁ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୀତିନିୟମକୁ ମାନି ଚଳନ୍ତୁ। ଏହି ହେଲପ୍‌ଲାଇନ୍‌ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଓ ସ୍ଥିତିକୁ ସୁଦୃଢ଼ ରଖିବା ସହ ସେମାନଙ୍କୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରିବାରେ ସହାୟକ ହେବ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆସୋସିଏସନ୍‌ ଅଫ୍‌ ହେଲଥ୍‌ ସାଇକୋଲୋଜିଷ୍ଟର ମିଳିତ ସହଯୋଗରେ ହେଲପ୍‌ଲାଇନ୍‌ ‘ଭରସା’ ପ୍ରସ୍ତୁତ କରାଯାଇଛି। ଏଥିରେ ଏକ ହେଲପ୍‌ଲାଇନ୍‌ ନମ୍ବର-୦୮୦୪୬୮୦୧୦୧୦ ଦିଆଯାଇଛି। ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ସେମାନଙ୍କ ମାନସିକ ସ୍ଥିତିକୁ ସୁଦୃଢ଼ କରିବା ଓ ଆତ୍ମବିଶ୍ୱାସକୁ ଦୃଢ଼ କରିବା ପାଇଁ ପରାମର୍ଶ ଦିଆଯିବ। ମନସ୍ତତ୍ତ୍ୱବିତ୍‌ମାନେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହିତ ମାନସିକ ସ୍ତରରେ ସ୍ଥିରତା ଆଣିବା ଦିଗରେ ଆବଶ୍ୟକ ପରାମର୍ଶ ଦେବେ। ଲୋକାର୍ପଣ ସମୟରେ କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ୍‌ ଖାରେ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶାଶ୍ବତ ମିଶ୍ରଙ୍କ ସମେତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ୍‌ ପ୍ରମୁଖ ୱେବେକ୍ସ ମାଧ୍ୟମରେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର